ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳିତ

  • ନିୟନ୍ତ୍ରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଡିପିସିଏୟୁ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପରିସରରୁ ବାହାରିଥିବା ଏକ ସଚେତନତା ରାଲିକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଏନ୍‌ଏମ୍‌ ତାଲିମ କେନ୍ଦ୍ରର ଛାତ୍ରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ଅନୁଷ୍ଠିତ ଏହି ରାଲି ସହର ପରିକ୍ରମା କରି ସିଡିଏମ୍‌ଓ କାର୍ଯ୍ରାଳୟ ପର୍ଯ୍ରନ୍ତ ଆସିଥିଲା । ରାଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲର ମେଡିକାଲ୍‌ ଅଧିକ୍ଷକ ଡ଼.ମାନସୀ ପଣ୍ଡା, ଡିପିଏଚ୍‌ଓ ଡ.ଦିବ୍ୟାକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ମହାବିଦ୍ୟାଳୟରୁ ପଦଯାତ୍ରା କରି ସିଡିଏମ୍‌ଓ କାର୍ଯ୍ୟାଳୟକୁ ଆସିଥିଲେ । ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଡିପିଏଚ୍‌ଓ ଦିବ୍ୟକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଦିବ୍ୟ କିଶୋର ପତି, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି.ବି) ଡ.ସିଦ୍ଧେଶ୍ଵର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଚ୍‌ଆଇଭି, ଏଡ଼୍‌ସ୍‌ର ନିରାକରଣ ପାଇଁ ଜନସଚେତତା ଦ୍ଵାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ୨୦୨୩ ବର୍ଷ ପାଇଁ ବିଶ୍ଵ ଏଡ଼୍‌ସ୍‌ ଦିବସର ବିଷୟବସ୍ତୁ ସମ୍ପ୍ରଦାୟଗୁଡିକ ନେତୃତ୍ୱ ଦିଅନ୍ତୁ ଉପରେ ଆଲୋଚନା ହେଇଥିଲା । ସରକାରୀ, ବେସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ପାରସ୍ପାରିକ ସହଯୋଗ ରକ୍ଷା କରି ଏଡ଼୍‌ସ୍‌ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟିତ ହେବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଚେତନତା ସଭାରେ ବିଶ୍ଵ ଏଡ଼୍‌ସ୍‌ ଦିବସର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଏନ୍‌ଏମ୍‌ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏଡ଼୍‌ସ୍‌ ସଚେତନତା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଏବଂ ସଭାରେ ଏଡ଼୍‌ସ୍‌ ସମ୍ପର୍କିତ କୁଇଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏଡ଼୍‌ସ୍‌ ନିରାକରଣ ୟୁନିଟ୍‌ର ଜିଲ୍ଲା ପ୍ରୋଗ୍ରାମ୍‌ ମେନେଜର ରାଜେନ୍ଦ୍ର କୁମାର ମହାରଣା ଜିଲ୍ଲାରେ ଏଡ଼୍‌ସ୍‌ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସ୍ଥିତି ଏବଂ ଏଡ଼୍‌ସ୍‌ ରୋଗୀମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟଠାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସିଡିଏମ୍‌ ଅଫିସ ସମ୍ମୁଖରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.