ଭାଲୁ କାମୁଡାରେ ଯୁବକ ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜ୍‌ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଭାଲୁ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ବଘିଆପଡା ପଞ୍ଚାୟତର ସମାପାଜ୍‌ ନିକଟସ୍ଥ କୁଟିବାରୀ ଗ୍ରାମର କବିଚନ୍ଦ୍ର ଦେହୁରୀ (୩୦ ବର୍ଷ) ନିକଟରେ ଥିବା ଜଙ୍ଗଲକୁ ସୋମବାର ସକାଳେ ଘର ମରାମତି ପାଇଁ ଶିଆଳିପଟ୍ଟ ସଂଗ୍ରହ କରିବାକୁ ଯାଇଥିଲେ । ସେ ଜଙ୍ଗଲ ଭିତରେ ପ୍ରବେଶ କରିବା ପରେ ହଠାତ୍‌ ଏକ ଲଟି ଭିତରୁ ଏକ ଭାଲୁ ବାହାରି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଆଗ ଦୁଇ ଗୋଡରେ କାନକୁ ଜାବୁଡି ମୁହଁକୁ କାମୁଡି ଥିଲା । ତେବେ କବିଚନ୍ଦ୍ର କୌଶଳ କ୍ରମେ ଭାଲୁକୁ ଶକ୍ତ ଗୋଇଠା ମାରି ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ପରେ ଘରକୁ ପହଁଚିବା ବେଳକୁ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଆହତ ବସ୍ଥାରେ ଘରୁ ଏକ ଅଟୋ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ସେ ବର୍ତ୍ତମାନ ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସେ ଜଣେ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ବନବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.