ଲାଞ୍ଜିଗଡ଼, (କେପିଏନ୍ଏସ୍) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ଗତ ରବିବାର ଦିନ ବିଶ୍ୱନାଥପୁର ବନବିଭାଗ ଗିରଫ କରି ପଚରାଉଚରା ପରେ ମଙ୍ଗଲବାର ପୁଣି ୨ ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗ୍ରାମର ଶେଷଦେବ ରଣା ଓ ଗୋବର୍ଦ୍ଧନପୁରର ଶଶି ହରିଜନ । ପ୍ରାପ୍ତ ସୂଚନାନୁସାରେ ବିଶ୍ୱନାଥପୁର ବନବିଭାଗ ଅଧୀନରେ ଥିବା କମର୍ଦ୍ଧା ପଞ୍ଚାୟତ ଓ ନର୍ଲା ପଞ୍ଚାୟତ ସୀମାନ୍ତରେ ଥିବା ଜଙ୍ଗଲରେ କିଛି ଲୋକ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରୁଥିବା ସୂଚନା ରହିଥିଲା । ନର୍ଲା ପଞ୍ଚାୟତ ଡଙ୍ଗରମାଲ ଗ୍ରାମର ନିର୍ମଳ ଗଉଡ଼ ରାତିରେ ଅନ୍ୟ କିଛି ଲୋକଙ୍କ ସହ ମିଶି ଜନ୍ତୁ ଶିକାର ପାଇଁ ଗାଁ ନିକଟ ଜଙ୍ଗଲରେ ଚାଷ କରିଥିବା ଜମିର ଚାରି ପାର୍ଶ୍ୱରେ ବିଦ୍ୟୁତ ତାର ଫାଶ ବିଛାଇ ନିକଟସ୍ଥ ୩୩ କେଭି ଲାଇନରୁ ଚୋରାରେ ସଂଯୋଗ ଆଣିଥିଲେ । ନିର୍ମଳ ଏକ ମଞ୍ଚାରେ ଜଗି ରହିଥିବା ବେଳେ ବିଶ୍ୱନାଥପୁର ବିଦ୍ୟୁତ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରି ନିର୍ମଳଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ । ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଥମେ ନିକଟସ୍ଥ ନର୍ଲା ଥାନାକୁ ଫୋନରେ ଜଣାଇବା ପରେ ବିଶ୍ୱନାଥପୁର ରେଞ୍ଜ ଅଫିସ ବନବିଭାଗକୁ ଜଣାଇଥିଲେ । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିର୍ମଳଙ୍କୁ ଗିରଫ କରି ବିଶ୍ୱନାଥପୁର ରେଞ୍ଜ ଅଫିସକୁ ନେଇ ଆସିଥିଲେ । ବନ ବିଭାଗ ନିର୍ମଳଙ୍କୁ ପଚରା ଉଚରା ପରେ ଘଟଣା ସ୍ଥଳକୁ ଯାଇ ଆଉ ଚାରି ଜଣଙ୍କୁ ନିର୍ମଳ ପାଖକୁ ଆଣିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗ୍ରାମର ଶେଷଦେବ ରଣା ଓ ଆଉ ଜଣେ ଗୋବର୍ଦ୍ଧନପୁରର ଶଶି ହରିଜନଙ୍କୁ ନିର୍ମଳ ଚିହ୍ନଟ କଲା ପରେ ୨ ଜଣଙ୍କୁ ଛାଡି ଦେଇଥିଲେ । ମଙ୍ଗଳବାର ତିନି ଜଣଙ୍କୁ ମେଡ଼ିକାଲ ଟେଷ୍ଟ ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ପ୍ରକାଶ କରିଛନ୍ତି ।