ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଘର ଭାଙ୍ଗି ୬ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନି ଗରିବ ଅସହାୟଙ୍କ ପରିବାର ଉପରେ । ସରକାରଙ୍କ ଜନ୍ମରୁ ମୃତ୍ୟ ପର୍ୟ୍ୟନ୍ତ ଯୋଜନା ରହିଛି, କିନ୍ତୁ ପ୍ରକୃତ ହିତାଧିକାରୀ ଏହିସବୁ ଯୋଜନାରୁ ବଞ୍ଚିତ । ୱାର୍ଡ ମେମ୍ବର ଠାରୁ ନେଇକି ସରପଞ୍ଚ ବାବୁଙ୍କୁ ବାରମ୍ବାର ଜଣେଇଥିଲେ ମଧ୍ୟ ଆବାସ ଯୋଜନା ଖଣ୍ଡିଏ ମିଳୁନାହିଁ ।
ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମର ରୋହିତ କରୁଆଁଙ୍କ କଥା । ଦୁଃଖର ବିଷୟ ହେଲା, ଚାରିବର୍ଷ ତଳେ ଆବାସ ଯୋଜନାରେ କାର୍ଯ୍ୟାଦେଶ ଆସିଥିଲେ ମଧ୍ୟ ତାଙ୍କୁ ଦିଆ ଯାଇନାହିଁ । ସରପଞ୍ଚଂକୁ ପଚାରିବାରୁ ତୋର ଘର ଅନ୍ୟତ୍ର ଯାଇଛି ବୋଲି କହିଛନ୍ତି । ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଏବଂ ଅବିକଶିତ ଅଂଚଳ । ଏହା ଏକ ଆଦିବାସୀ ଅଂଚଳ ହୋଇଥିବାରୁ ବହୁତ ଲୋକ ଠକାମୀର ଶିକାର ହୁଅନ୍ତି । ବର୍ଷର ଛଅ ମାସ ସୁଦୂର ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁକୁ ଯାଇ ପରିବାର ପ୍ରତିପୋଷଣ କରନ୍ତି ।
ଦୁଃଖର କଥା ଏହିପରି ନିରୀହ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନି । ପରିବାରରେ ୭ ଜଣ ସଦସ୍ୟ, କିନ୍ତୁ ଗୋଟିଏ ବଖରାରେ ରହୁଛନ୍ତି । ଝାଟି ମାଟିର ସେଇ ଘର ମଧ୍ୟ ଭାଙ୍ଗି ଯାଇଥିବାରୁ ଜରି ଢ଼ାଂକି ଦେଇ ଦୁଃଖ କଷ୍ଟରେ ରହିଛନ୍ତି । ସେ ପ୍ରଶାସନକୁ ଗୁହାରି କରିଛନ୍ତି ଯେ, ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ । ତାଙ୍କ ପୋଡଶୀ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।