ବଲାଙ୍ଗିରକୁ ୧୦୦କୋଟି ଟଙ୍କାର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ୧୦୦କୋଟିର ଅନୁଦାନ ଦେବାକୁ ଦାବୀ କରିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି କଳିକେଶ ଦାବୀ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ହରିଶଙ୍କରଠାରୁ ବରଗଡ ଜିଲ୍ଲାର ନୃସିଂହନାଥକୁ ରୋପୱେ ସଂଯୋଗ ପାଇଁ ଗତ ୨୦୧୮ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ପ୍ରସ୍ତାବ କରାଯାଇଥିଲା । ସେହିପରି ତୁଷୁରା ଏୟାରଷ୍ଟ୍ରୀପକୁ ଉନ୍ନତ କରାଯାଇ ପର୍ଯ୍ୟଟକମାନେ ପହଞ୍ଚିବାର ସୁବିଧା କରିବାକୁ ଉଡାନ ଯୋଜନାରେ ସାମିଲ କରାବାକୁ ମଧ୍ୟ ପ୍ରସ୍ତାବ କରାଯାଇଥିଲା । ଠିକ ସେହିପରି ବିଶ୍ୱପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ବଲାଙ୍ଗିର ଜିଲ୍ଲାର ରାଣୀପୁର ଝରିଆଲର ସ୍ୱତନ୍ତ୍ର ସ୍ଥାନ ରହିଛି । କୋଶଳ କଳାମଣ୍ଡଳ ପଡିଆରେ କ୍ରୀଡା, ସାହିତ୍ୟ ଓ ସଂସ୍କୃତି ବିକାଶ ପାଇଁ ବେଶ ସମ୍ଭାବନା ରହିଛି । ତେଣୁ ଏହି କ୍ଷେତ୍ରଗୁଡିକର ବିକାଶ ନିତ୍ୟାନ୍ତ ଆବଶ୍ୟକ । ଏ ପରିପ୍ରେକ୍ଷୀରେ କୋଶଳକଳା ମଣ୍ଡଳ ପଡିଆରେ ମଲଟିପର୍ପସ ଅଡିଟୋରିୟମ ପାଇଁ ୧୫କୋଟି, ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ପାଇଁ ୨୦କୋଟି, ରାଣିପୁର ଝରିଆଲ ପାଇଁ ୧୦କୋଟି, ତୁଷୁରା ଏୟାରଷ୍ଟ୍ରିପର ବିକାଶ ପାଇଁ ୧୫କୋଟି ଦେବାକୁ କଳିକେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଛନ୍ତି । ଏହା ସହିତ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୦କୋଟି ଦେବା ସହ ବଲାଙ୍ଗିରକୁ ଏକ ପର୍ଯ୍ୟଟନ ସର୍କିଟ କରିବାକୁ ଶ୍ରୀ ସିଂଦେଓ ଦାବୀ କରିଥିବା ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.