
ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଆଜି ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ଉପ-ନିର୍ବାଚନ ସଂପର୍କରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା ହୋଇଥିବା ନିର୍ବାଚନ କାର୍ୟ୍ୟସୂଚୀ ବୈଠକରେ ପ୍ରଦାନ କରିଥିଲେ । କାର୍ୟ୍ୟସୂଚୀ ଅନୁସାରେ ଗେଜେଟ୍ ନୋଟିଫିକେସନ୍ ତାରିଖ – ୨୩.୦୩.୨୦୨୧ (ମଙ୍ଗଳବାର), ପ୍ରାର୍ଥୀପତ୍ର ଦାଖଲ୍ର ଶେଷ ତାରିଖ – ୩୦.୦୩.୨୦୨୧ (ମଙ୍ଗଳବାର), ପ୍ରାର୍ଥୀପତ୍ର ଯାଂଚ ତାରିଖ – ୩୧.୦୩.୨୦୨୧ (ବୁଧବାର), ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ – ୦୩.୦୪.୨୦୨୧ (ଶନିବ।।ର), ଭୋଟ୍ ଗ୍ରହଣ ତାରିଖ -୧୭.୦୪.୨୦୨୧ (ଶନିବାର), ଭୋଟ୍ ଗଣତି ତାରିଖ – ୦୨.୦୫.୨୦୨୧ (ରରିବାର), ନିର୍ବାଚନ ପ୍ରକ୍ରିୟା ଶେଷ – ୦୪.୦୫.୨୦୨୧ (ମଙ୍ଗଳବାର) ସହ ନିର୍ବାଚନ ପ୍ରକ୍ରିୟା ହେବା ପର୍ୟ୍ୟନ୍ତ ବିଭିନ୍ନ ବିଷୟ ସଂପର୍କରେ ଉପସ୍ଥିତ ବିଭିନ୍ନ ରାଜନୈତିକ କର୍ମକତ୍ତାଙ୍କୁ ସଂପୂର୍ଣ୍ଣ ଭାବେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ପଣ୍ଡା, ଭାରତୀୟ ଜନତା ପାର୍ଟିର ଜଗନ୍ନାଥ ପ୍ରଧାନ ଓ ଜୟନ୍ତ କୁମାର ଜେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରମେଶ ଚନ୍ଦ୍ର ପାଢ଼ୀ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ନାସ୍ନାଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂପର୍କରେ ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।