କାଗଜ କଲମରେ ସୀମିତ ବନୀକରଣ : ଉଡାର ଗ୍ରାମ ପଞ୍ଚାୟତରେ ୧୫ ଲକ୍ଷ ଆତ୍ମସାତ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଉଡାର ଗ୍ରାମ ପଞ୍ଚାୟତରେ କାଗଜ କଲମରେ ବନୀକରଣ ଦେଖା ଯାଇ ୧୫ ଲକ୍ଷରୁ ଅଧିକ ଆତ୍ମସାତ୍‌ କରାଯାଇଥିବା ଖବର ସାମନାକୁ ଆସିଛି । ଆର୍ଥିକ ବର୍ଷ ୨୦୧୬-୧୭ରେ ଉଡାର ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମନରେଗା ଅନ୍ତର୍ଗତ ପଥପ୍ରାନ୍ତ ବନୀକରଣ ତଥା ବନୀକରଣ କାମ ପଞ୍ଚାୟତ ହାତକୁ ନେଇଥିଲା । ଏହି କାମଗୁଡିକ ସଂପୂର୍ଣ୍ଣ କରାଯାଇଥିବା ଦର୍ଶା ଯାଇଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ବିଲ ସରକାରୀ ରିପୋର୍ଟରେ ପ୍ରକାଶ କରାଯାଇଥିଲା । କିନ୍ତୁ ଫଟାମୁଣ୍ଡା ଗ୍ରାମର ସୂଚନା ଅଧିକାର କର୍ମୀ ମଙ୍ଗନ ରାଏ ଏସବୁ କାମ ପ୍ରକୃତରେ ହୋଇ ନ ଥିବା ବେଳେ କେବଳ କାଗଜ କଲମରେ କାମ ଦର୍ଶାଇ ତତ୍‌କାଳୀନ ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରାୟ ୧୫ ଲକ୍ଷ ପଂଚାଅଶି ହଜାର ଟଙ୍କା ଅତ୍ମସାତ କରିଥିବା ନେଇ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଚଂଚଲ ରାଣାଙ୍କୁ ଏ ସଂକ୍ରନ୍ତୀୟ ଲିଖିତ ଅଭିଯୋଗ ସହ ସରକାରୀ ତାଲିକା ଓ କାର୍ଯ୍ୟସ୍ଥଳର ଫଟୋଚିତ୍ର ପ୍ରଦାନ କରିଥିବା ଦର୍ଶାଇଛନ୍ତି । ଏହା ସହ ସେ ଉପୋରକ୍ତ କାର୍ଯ୍ୟର ପୁଂଖାନୁପୁଂଖ ତଦନ୍ତ କରାଯିବା ସହ ସଂଶ୍ଳିଷ୍ଟ କର୍ତ୍ତୃପକ୍ଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।

ସୂଚନାରୁ ପ୍ରକାଶ ଯେ, ଦେଓଗାଁ ବ୍ଲକ ଉଡାର ଗ୍ରାମ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୧୬-୧୭ରେ ମନରେଗା ଯୋଜାନ ଅଧୀନରେ ବାବିଜୋରରୁ କୁଲିଆବାହାଲ, ଉଡାର ସ୍କୁଲରୁ ମାଲିଗୁଡା ରୋଡ, ଲୁହୁରାପାଲିରୁ ଶିରାବାହାଲ ହାଇସ୍କୁଲ, ଲୁହୁରାପାଲିରୁ ଶିରାବାହାଲ ରୋଡ, ଉଡାରରୁ ବ୍ଲକ ଛକ ପର୍ଯ୍ୟନ୍ତ ପଥପ୍ରାନ୍ତ ବନୀକରଣ ଓ ଉଡାର ସ୍କୁଲ, ଶିରାବାହାଲ ହାଇସ୍କୁଲ, ଶିରାବାହାଲ ଖେଳ ପଡିଆ, ମହମ୍ମଦପୁର ସ୍କୁଲ, ପଦମପୁର ସ୍କୁଲ, ଲୁହୁରେନପାଲି ସ୍କୁଲ, ବ୍ରାହ୍ମଣୀପାଲି ସ୍କୁଲ, ଜଲିଆ ସ୍କୁଲ, ବ୍ରାହ୍ମଣୀପାଲି ଗାଁ ପରିସର, ଉଡାର ଟ୍ୟାଙ୍କ, ଶିରାବାହାଲ ଟ୍ୟାଙ୍କ, ବାବିଜୋର, ଲୁହୁରେନ ପାଲି ଟ୍ୟାଙ୍କ, ପଦମପୁର ଟ୍ୟାଙ୍କ, ବ୍ରାହ୍ମଣୀପାଲି ଟ୍ୟାଙ୍କରେ ବନୀକରଣ ସଂମ୍ପୂର୍ଣ୍ଣ କରାଯାଇଥିବା ସୂଚନା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ପରିତାପର ବିଷୟ ଯେ, ଏସବୁ ସ୍ଥାନରେ ବନୀକରଣ ଦୂରର କଥା ଗାତଟିଏ ମଧ୍ୟ ଖୋଳା ଯାଇ ନଥିବା ପ୍ରଦତ୍ତ ଫଟୋଚିତ୍ରରେ ସ୍ପଷ୍ଟ ଜଣାପଡୁଛି । ଯେତେବେଳେ ଏସବୁ ସ୍ଥାନରେ ବନୀକରଣ କରାଯାଇ ନାହିଁ, ତେବେ କାଗଜପତ୍ରରେ ଦର୍ଶାଯାଇଥିବା ଶ୍ରମିକ ମଜୁରୀ ଓ ସାମଗ୍ରୀ ଖର୍ଚ୍ଚ ମଧ୍ୟ କରାଯାଇ ନଥିବା ସ୍ପଷ୍ଟ । ଆହୁରି କାର୍ଯ୍ୟସ୍ଥଳର ତଦାରଖ ନକରି ଏତେ ଗୁଡାଏ ଟଙ୍କା ସରକାରୀ କଳ କିପରି ମଞ୍ଜୁର କଲେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ ମଙ୍ଗନ । ତେବେ ଏ ଘଟଣାର ପୁଂଖାନୁପୁଂଖ ତଦନ୍ତ କରାଗଲେ ତତ୍‌କାଳୀନ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ କଳା କାରନାମା ତଥା ତାଙ୍କର ସମସ୍ତ ଲିଙ୍କ୍‌ ସର୍ବସମ୍ମୁଖକୁ ଆସିବ ବୋଲି ମଙ୍ଗନ ଦାବୀ କରିଛନ୍ତି ।

Leave A Reply

Your email address will not be published.