ମୁରିବାହାଲରେ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଯୁବ ସାମ୍ୱାଦିକଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀଠାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବ୍ଲକ ଅଞ୍ଚଳର ଯୁବ ସାମ୍ୱାଦିକମାନଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ୱାଦିକ ଖଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ତଥା ଯୁବ ସାମ୍ୱାଦିକ ନବୀନ ତାଣ୍ଡିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ୨ ଜଣ ବରିଷ୍ଠ ସାମ୍ବାଦିକ ଡ. ଭଗବାନ ମହାନ୍ତି ଓ ଦୁର୍ଗାନନ୍ଦ ମହାକୁର ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନର ଓଡ଼ିଆ ସାମ୍ବାଦିକତାର ଆହ୍ଵାନ, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ସହ ଗ୍ରାମାଞ୍ଚଳର ସାମ୍ୱାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ପ୍ରତି ମତବ୍ୟକ୍ତ କରିଥିଲେ । ସମାଜର ତଳସ୍ତରରେ ବିଭିନ୍ନ ଯୋଜନାରୁ ବଞ୍ଚିତ ନିରୀହ ମଣିଷଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇ ତାଙ୍କୁ ସେହି ଯୋଜନାର ସୁଫଳ ଦେବା ଉପରେ ଯୁବ ସାମ୍ବାଦିକମାନଙ୍କୁ ଉଭୟ ୨ ବରିଷ୍ଠ ସାମ୍ବାଦିକ ପରାମର୍ଶ ଦେଇଥିଲେ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା । ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର ମୂଳଦୁଆ।ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକାର ଥିଲା ପ୍ରଧାନ ଭୂମିକା । ଉତ୍କଳ ଦୀପିକା ମାଧ୍ୟମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିଥିଲା । ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା ବୋଲି ଉଭୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବ୍ଲକ ଅଞ୍ଚଳର ସମସ୍ତ ଯୁବ ସାମ୍ୱାଦିକ ନିଜ ନିଜ ମଧ୍ୟରେ ଏକତା ଓ ସମନ୍ଵୟ ରଖି କାର୍ଯ୍ୟ କରିବା ଉପରେ ଦୁଇ ବରିଷ୍ଠ ସାମ୍ବାଦିକ ଯୁବ ସାମ୍ୱାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ସାମ୍ୱାଦିକ ଗିରିଧାରୀ ସାହୁ, ମୋତିରାମ ତାଣ୍ଡି, ସୁବାସ ମାଝୀ, ପାର୍ଥବ ଲୁହା, ପ୍ରେମାନନ୍ଦ ତାଣ୍ଡି, ହୃଦାନନ୍ଦ ବାଗ, ଚୁଡାମଣି ମାହାକୁର, ସୁମନ୍ତ ମହାଲିଙ୍ଗ ଓ ସୁଦାମ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଯୁବ ସାମ୍ୱାଦିକ ଜୟନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.