ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକ ଓଭର ବ୍ରିଜ ଉପରେ ମା’ ଖମ୍ବେଶ୍ଵରୀ ବସ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଖବର ମିଳିଛି । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓଡ଼ି୦୭ କ୍ୟୁ-୮୧୯୧ ନମ୍ବର ବିଶିଷ୍ଟ ମା’ ଖମ୍ବେଶ୍ଵରୀ ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି । ବସରେ ବସିଥିବା ପ୍ରଭାତି ପାତ୍ର ଆହତ ହୋଇଛନ୍ତି । ହାଇୱେ ପେଟ୍ରୋଲିଂ ଗାଡି ଦୁର୍ଘଟଣା ସ୍ଥଳରେ ପହଞ୍ଚି ଇନଚାର୍ଜ ଦେବରାଜ ସାହୁ ଆହତ ମହିଳାଙ୍କୁ ଛତ୍ରପୁର ମେଡିକାଲରେ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଡ଼ବ୍ଲ୍ୟୁ ବି ୩୯ବି ୩୦୨୫ ନମ୍ବର ବିଶିଷ୍ଟ ଟ୍ରକକୁ ଜବତ କରିଛନ୍ତି । ବସରେ ୩୫ ଜଣ ଯାତ୍ରୀ ରହିଥିଲେ । ସେହିପରି ସୋମବାର ହୁମ୍ମା ନିକଟରେ ଏକ ଆଇରନ ବୋଝେଇ ଟ୍ରକ ଏକ ଟାଟା ଏସିକୁ ପଛପଟୁ ଧକ୍କା ଦେବା ଫଳରେ ହମ୍ପସ ଉପରେ ଧୀର ଗତିରେ ଯାଉଥିବା ତିନୋଟି କାର ସହ ଟାଟା ଏସି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଫଳରେ ୪ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ପହଞ୍ଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡିକାଲ ପହଂଚାଇବାର ବ୍ୟବସ୍ଥା କରି ଦୁର୍ଘଟଣାର ତଦନ୍ତ କରିଥିଲେ ।