
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ଜାଲରୋର ଜଣେ ଏଡିଇଓ ଧରା ପଡିବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ ଦେବେନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀ ଆୱାସ ବିଲ କରାଇ ଦେବାପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା । ସୂଚନାନୁଯାୟୀ, ଏଡିଇଓ ଦେବେନ୍ଦ୍ର ସାହୁ ଆଟିଗାଁର ଶ୍ରୀବତ୍ସ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆୱାସର ବିଲ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ଶ୍ରୀବତ୍ସ କଳାହାଣ୍ଡି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଆଜି ମଧ୍ୟାହ୍ନ ସମୟରେ ଏଡିଇଓ ଜୁନାଗଡ଼ ବ୍ଲକ ସମ୍ମୁଖରେ ଶ୍ରୀବତ୍ସଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବ ଯୋଜନା ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚୁଆ ଏଡିଇଓ ଦେବେନ୍ଦ୍ର ସାହୁଙ୍କୁ ମାଡ଼ି ବସିଥିଲେ । ତାଙ୍କଠାରୁ ରଙ୍ଗ ବୋଳା ଟଙ୍କା ମଧ୍ୟ ଜବତ କରିଥିଲେ । ଭିଜିଲାନ୍ସ ବିଭାଗ ଅଧିକାରୀ ଦେବେନ୍ଦ୍ରଙ୍କୁ ଅଧିକ ପଚରା ଉଚୁରା କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।