p purohi

ସ୍କୁଲ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର ସହ ଗାଁ ଭିତରେ ଅଧା ଢଳିଥିବା ବିଦ୍ୟୁତ ଖୁମ୍ବ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବିଦ୍ୟୁତ ସବଡିଭିଜ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ମୁକୁଳା ଭାବେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ରହିଥିବା ବେଳେ ଗାଁ ଭିତରେ ଜୀବନ୍ତ ତାର ଯାଇଥିବା ଏକ ଲୁହା ବିଦ୍ୟୁତ ଖୁମ୍ବ ଅଧା ଢଳିଯାଇଛି । ଏହାର ପ୍ରତିକାର ପାଇଁ ବିଭାଗୀୟ ଏସଡିଓ ଓ ସ୍ଥାନୀୟ ଲାଇନମେନମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୈ।ଣସି ସୁଫଳ ମିଳୁନାହିଁ । ଫଳରେ ଯେ କୌଣସି ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟି ବଡ଼ ଧରଣର ଜୀବନ ହାନି ହେବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ ଯେ ଡୁମ୍ବେରବାହାଲ ସ୍କୁଲ ସମ୍ମୁଖରୁ ମାତ୍ର ୧୬ ଫୁଟ ଦୂରରେ ୧୦୦ କେଭି ଟ୍ରାନ୍ସଫର୍ମର ସମ୍ପୁର୍ଣ୍ଣ ମୁକୁଳା ଭାବେ ରହିଛି । ସ୍କୁଲ ଖୋଲାଥିଲେ କୋମଳମତୀ ଛାତ୍ରଛାତ୍ରୀଙ୍କ ସମେତ ଗୋରୁଗାଈ ମଧ୍ୟ ଏଠାକୁ ଅସାବଧାନତା ବଶତଃ ଚାଲିଆସନ୍ତି ଓ ସବୁବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଗତ ଜୁନ ମାସରେ ଗ୍ରାମର ଅନ୍ୟ ଏକ ୬୩ କେଭି ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇ ସାରିଛନ୍ତି । ତେବେ ସ୍କୁଲ ସମ୍ମୁଖ ମୁକୁଳା ଟ୍ରାନ୍ସଫର୍ମରରେ ମଧ୍ୟ କେତେବେଳେ ଯେ ଜୀବନ ହାନି ନ ହେବ ତାହା କିଏ କହିପାରିବ । ସେହି ପରି ଗାଁ ଭିତରେ ବିଦ୍ୟୁତ ଖୁମ୍ବମାନଙ୍କରୁ ଖୋଳା ତାର ଅପସାରଣ କରାଯାଇ କେବୁଲ ତାରର ବ୍ୟବସ୍ଥା କରାଯାଇଛି ଓ ଏଥିପାଇଁ ୩ ଟି ନୂତନ ୬୩ କେଭି ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି ଓ ନୂତନ ବିଦ୍ୟୁତ ଖୁମ୍ବମାନ ପୋତାଯାଇଛି । ତେବେ ଗାଁ ଭିତରେ ଗୋଟିଏ ପୁରୁଣା ଲୁହା ବିଦ୍ୟୁତ ଖୁମ୍ବ ୬୦ ଡିଗ୍ରୀ ପର୍ୟ୍ୟନ୍ତ ଢଳି ବଙ୍କା ହୋଇଯାଇଛି ଓ ତାହା କେତେବେଳେ ମଧ୍ୟ ଧରାଶାୟୀ ହୋଇଯିବ । ଏହି ଖୁମ୍ବ ଦେଇ ଯାଇଥିବା ଜୀବନ୍ତ ବିଦ୍ୟୁତ ତାରକୁ ଅପସାରଣ କରାଯାଇ ନାହିଁ । ଗାଁ ଭିତରେ ଅନ୍ୟ ସ୍ଥାନମାନଙ୍କରେ ନୁଆ ବିଦ୍ୟୁତ ଖୁମ୍ବ ମାନଙ୍କରେ କେବୁଲ ତାରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାହା ସ୍ୱାର୍ଥରେ ବିପଦ ସଙ୍କୁଳ ଭାବେ ଅଧା ଢଳିଯାଇଥିବା ଖୁମ୍ବରୁ ଜୀବନ୍ତ ବିଦ୍ୟୁତ ତାର ଅପସାରଣ କରାଯାଉ ନାହିଁ, ତାହା ଏଠାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

nrusinghnath
Leave A Reply

Your email address will not be published.