ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

● ୫୦% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗତକାଲି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଆଲୋଚନା ପରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ନିଆଯିବାକୁ ଥିବା ପ୍ରତିଷେଧକ ମୂଳକ ବ୍ୟବସ୍ଥା ପାଇଁ ଏହି ଏସଓପି ପ୍ରସ୍ତୁତ କରାଯାଇଛି ।
ଏସଓପି ଜାରି କରି ମନ୍ତ୍ରୀ କହିଥିଲେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ଅକ୍ଟୋବର ୧୫ ତାରିଖରୁ ସିନେମା ହଲ ଗୁଡ଼ିକ ଖୋଲା ଯାଇପାରିବ ଏବଂ ସେଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସଓପି ପ୍ରସ୍ତୁତ କରିଛି ।
ପ୍ରସ୍ତୁତ ହୋଇଥିବା ନିୟମାବଳୀର ମୁଖ୍ୟାଂଶ ମଧ୍ୟରେ ଅଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଧାର୍ୟ୍ୟ ହୋଇଥିବା ନିୟମ, ଯଥା; ସମସ୍ତ ଦର୍ଶକ/ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ, ଯଥେଷ୍ଟ ଶାରିରୀକ ଦୂରତ୍ୱ, ମୁହଁ ଘୋଡ଼ାଇବା/ମାସ୍କ ପିନ୍ଧିବା, କ୍ରମାଗତ ହାତ ଧୋଇବା, ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଇବା ଇତ୍ୟାଦି ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଜଡ଼ିତ ବ୍ୟବହାରିକ ନିୟମ ପାଳନ । ଆନ୍ତର୍ଜାତିକ ସ୍ତରରେ ପାଳନ କରାଯାଉଥିବା ନିୟମ ଆଧାରରେ ମନ୍ତ୍ରଣାଳୟ ଏହି ଏସଓପି ପ୍ରସ୍ତୁତ କରିଛି । ଏହା ମଧ୍ୟରେ ରହିଛି ଶାରିରୀକ ଦୂରତ୍ୱ, ଧାଡ଼ି କରି ପ୍ରବେଶ ଓ ପ୍ରସ୍ଥାନ, ସାନିଟାଇଜେସନ, କର୍ମଚାରୀଙ୍କ ନିରାପତ୍ତା ଏବଂ ଅତି କମ୍ ସଂସ୍ପର୍ଶରେ ଆସିବା । ମୋଟ ଦର୍ଶକ କ୍ଷମତାର ୫୦% ଦର୍ଶକଙ୍କୁ ଅନୁମତି ମିଳିବ । ମଲ୍ଟିପ୍ଲେକ୍ସରେ ସୋ ସମୟକୁ ନିୟନ୍ତ୍ରଣ କରାଯିବ ଯେପରିକି ଭିଡ଼ ହେବନାହିଁ । ହଲରେ ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରଖାଯିବ ।
ଚଳଚ୍ଚିତ୍ର ପ୍ରଦର୍ଶନ ବେଳେ ଜାରି ହୋଇଥିବା ଏସଓପି ସମସ୍ତ ରାଜ୍ୟ, ଅନ୍ୟାନ୍ୟ ଅଂଶୀଦାର କିମ୍ବା ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ କରାଗଲେ ରାଜ୍ୟ ସରକାରମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିବ ।
ଚଳଚ୍ଚିତ୍ର ପ୍ରଦର୍ଶନ ଏକ ବୃହତ ଆର୍ଥିକ କାର୍ୟ୍ୟ ଯାହାକି ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ । ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ, ଚଳଚ୍ଚିତ୍ର ପ୍ରଦର୍ଶନ ସହ ଜଡ଼ିତ ଥିବା ବିଭିନ୍ନ ଅଂଶୀଦାର ସେମାନଙ୍କ କାର୍ୟ୍ୟକଳାପ ଜାରି ରଖିବା ସହ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦ ସେପ୍ଟେମ୍ବର ୩୦ ତାରିଖର ନିଷ୍ପତ୍ତି ଅନୁସାରେ, ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରାକି କଣ୍ଟେନମେଣ୍ଟ ଜୋନ୍ ବାହାରେ ୨୦୨୦ ଅକ୍ଟୋବର ୧୫ରୁ ୫୦% ଦର୍ଶକ କ୍ଷମତା ସହ ସିନେମା/ ଥିଏଟର/ମଲ୍ଟିପ୍ଲେକ୍ସ ଗୁଡ଼ିକ ଖୋଲାଯାଇପାରିବ ।

Leave A Reply

Your email address will not be published.