om academy

ଆତ୍ମନିର୍ଭର ଭାରତ ଦିଗରେ ନୂଆ ପଦକ୍ଷେପ

jsm

• ପିଷ୍ଟନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବବିହୀନ ବିମାନ ପାଇଁ ସ୍ୱତନ୍ତ୍ର ବିମାନ ଇନ୍ଧନ ଏଭିଜିଏଏସ ୧୦୦ ଏଲଏଲ ଉନ୍ମୋଚିତ
• ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉପଲବ୍ଧ ହେବା ପରେ ଅତି ମୂଲ୍ୟବାନ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ସକ୍ଷମ ହେବ ଦେଶ
• ଦେଶରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ ଏବଂ ବିକ୍ରି କରିବା କ୍ଷେତ୍ରରେ ପ୍ରଥମ ତୈଳ ବିପଣନ କମ୍ପାନୀ ହେଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉନ୍ମୋଚନ କରିଛନ୍ତି । ପିଷ୍ଟିନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବ ବିହୀନ ବିମାନ ପାଇଁ ଏହି ସ୍ୱତନ୍ତ୍ର ବିମାନ ଦେଶରେ ଉପଲବ୍ଧ ହେବ । ଇନ୍ଧନ ଉନ୍ମୋଚନ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ, ଆମେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛୁ ଯାହାକି ପ୍ରାୟତଃ ବୈପ୍ଲବାତ୍ମକ । ଆମେ ଜୈବ ଇନ୍ଧନ ମିଶ୍ରଣ, ସବୁଜ ହାଇଡ୍ରୋଜେନ ଏବଂ ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦେବା ଜରିଆରେ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରୁଛୁ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉନ୍ମୋଚନ ଅବସରରେ ବେସାମରିକ ବିମାନ ଚଳାଚଳ ଓ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି.କେ. ସିଂ ଉପସ୍ଥିତ ଥିଲେ । ବର୍ତ୍ତମାନ ଭାରତ ଏହି ଉତ୍ପାଦ ୟୁରୋପୀୟ ରାଷ୍ଟ୍ରରୁ ଆମଦାନୀ କରୁଛି । ହିଣ୍ଡନ ବାୟୁସେନା ଷ୍ଟେସନ ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ଉନ୍ମୋଚନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାଛଡ଼ା ବିମାନ ଚଳାଚଳ ପ୍ରଶିକ୍ଷଣ ସଂଗଠନ (ଏଫଟିଓ)ର ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଗୁରୁତ୍ବ ବିଷୟରେ ଉଲ୍ଲେଖ କରି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ କହିଥିଲେ ଯେ, ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଦେଶରେ ଉପଲବ୍ଧ ହେବା ପରେ ବିମାନ ଚଳାଚଳ ଉଦ୍ୟୋଗର ଆବଶ୍ୟକତା ପୂରଣ ହୋଇପାରିବ । ଏହା ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବଢ଼ାଇବ । ବିମାନ ଏବଂ ବିମାନ ପ୍ରଶିକ୍ଷଣ ସଂଗଠନର ସଂଖ୍ୟା ବୃଦ୍ଧି କରିବା ସହିତ ଭବିଷ୍ୟତରେ ପାଇଲଟଙ୍କ ତାଲିମ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ । ଆଗାମୀ ଦିନରେ ଭାରତରେ ବିମାନ ପରିବହନର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପ୍ରଶିକ୍ଷିତ ପାଇଲଟମାନଙ୍କର ଚାହିଦା ମଧ୍ୟ ବଢ଼ିବ । ଏଥିପାଇଁ, ଏଫଟିଓଗୁଡ଼ିକର ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିବାର ସମ୍ଭାବନା ରହିଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କହିଥିଲେ।

ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ କହିଥିଲେ ଯେ, ପୂର୍ବରୁ ଏହି ଇନ୍ଧନ ବିଦେଶରୁ ଆମଦାନୀ କରାଯାଉଥିଲା। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ନେତୃତ୍ବରେ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ ପାଇଁ ପ୍ରୟାସ ହୋଇ ଆସୁଥିଲା । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସଂକଳ୍ପ ଅନୁରୂପ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଏହି ଇନ୍ଧନ ବିକଶିତ କରିବାରେ ସଫଳ ହୋଇଛି ଯାହାକି ବହୁ ପରିମାଣରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ । ଆମ ଦେଶରେ ଥିବା ସବୁ ବିମାନ ପ୍ରଶିକ୍ଷଣ ସଂସ୍ଥା ଏବଂ ଅନ୍ୟ କ୍ଷୁଦ୍ର ବିମାନ ଉପଯୋଗ କରୁଥିବା ସଂସ୍ଥାମାନେ ସହଜରେ ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ କିଣିବାକୁ ସକ୍ଷମ ହେବେ । ଶସ୍ତାରେ ଏହି ଇନ୍ଧନ ମିଳିବା ଫଳରେ ସେମାନେ ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହୋଇପାରିବେ । ସେହିପରି ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଆବଶ୍ୟକ କରୁଥିବା ଦେଶକୁ ରପ୍ତାନି କରି ଆମେ ବହୁ ପରିମାଣରେ ଲାଭ ପାଇପାରିବା ବୋଲି ସେ କହିଥିଲେ ।

ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଥିଲେ ଯେ, ‘‘ଆମର ବିଶୋଧନ ସାମର୍ଥ୍ୟ ଏବଂ ଅନ୍ତରୀଣ ବିଶେଷଜ୍ଞତାକୁ ଉପଯୋଗ କରି ଏହି ସ୍ୱତନ୍ତ୍ର ଇନ୍ଧନ ବିକଶିତ କରିବାରେ ଆମେ ସଫଳ ହୋଇପାରିଛୁ । ଆମଦାନୀ ହେଉଥିବା ଇନ୍ଧନ ତୁଳନାରେ ସ୍ୱଦେଶୀ ଇନ୍ଧନ ଅଧିକ କ୍ଷମତାସମ୍ପନ୍ନ । ଏଭିଜିଏଏସ ବଜାରର ଆକାର ବର୍ତ୍ତମାନ ୧.୯୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ୨୦୨୦ ସୁଦ୍ଧା ଏହା ୨.୭୧ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଘରୋଇ ଆବଶ୍ୟକତାକୁ ପୂରଣ କରିବା ସହିତ ରପ୍ତାନି ସୁଯୋଗକୁ ଲକ୍ଷ୍ୟ ରଖି ଆମେ ନୂଆ ସୁବିଧା ପ୍ରତିଷ୍ଠା କରିବା ଲାଗି ଯୋଜନା କରିଛୁ । ଉଚ୍ଚ ଗୁଣବତ୍ତା ସହିତ ପ୍ରତିଦ୍ବନ୍ଦ୍ବିତାମୂଳକ ଦର କାରଣରୁ ବିଶ୍ବ ବଜାରରେ ଭାରତ ଭଲ ସ୍ଥିତିରେ ରହିବ । ଏହା ଭାରତର ଆତ୍ମନିର୍ଭରଶୀଳତା ଯାତ୍ରାରେ ଏକ ନୂଆ ଅଧ୍ୟାୟ ଖୋଲିବ ବୋଲି ସେ କହିଥିଲେ ।

ଆତ୍ମନିର୍ଭର ଭାରତ ଦିଗରେ ଏକ ପଦକ୍ଷେପ :
ବର୍ତ୍ତମାନ ଏଭିଜିଏଏସ ୧୦୦ ଏଲଏଲ ସମ୍ପୂର୍ଣ୍ଣ ଭାବେ ଆମଦାନୀ ହେଉଥିବା ଏକ ଉତ୍ପାଦ । ଇଣ୍ଡିଆନ ଅଏଲ କମ୍ପାନୀ ଏହାର ଗୁଜରାଟ ବିଶୋଧନାଗରରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ କରିବ । ଫଳରେ ଭାରତରେ ବିମାନ ପ୍ରଶିକ୍ଷଣ ଆହୁରି ଶସ୍ତା ହେବ । ବର୍ତ୍ତମାନ ଏଫଟିଓ ଏବଂ ପ୍ରତିରକ୍ଷା ବାହିନୀ ଦ୍ବାରା ପରିଚାଳିତ ବିମାନରେ ବ୍ୟବହୃତ ହେଉଥିବା ଏହି ଇନ୍ଧନ ଅନେକ ଦଶନ୍ଧି ହେବ ବିଦେଶରୁ ଆମଦାନୀ ହୋଇ ଆସୁଛି । ତେବେ ଇଣ୍ଡିଆନ ଅଏଲର ଗବେଷଣା ଓ ବିକାଶ, ବିଶୋଧନ, ବିପଣନ ଦଳ ଏହି ସ୍ୱଦେଶୀ ଇନ୍ଧନ ବିକଶିତ କରିବାରେ ସଫଳ ହୋଇଛି । ଏହା ବିମାନ ଚଳାଚଳ ଉଦ୍ୟୋଗକୁ ମୂଲ୍ୟ ସୁବିଧା ଦେବାରେ ସକ୍ଷମ ହୋଇଛି ।

ଇଣ୍ଡିଆନ ଅଏଲ : ପରିବର୍ତ୍ତନର ବାହକ
ଏଭିଏସନ ଗ୍ୟାସୋଲିନର ପ୍ରମୁଖ ମାନ ବା ପ୍ରିନ୍ସପାଲ ଗ୍ରେଡ୍‌ ଇନ୍ଧନ ଭାବେ ବିବେଚିତ ହେଉଥିବା ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନକୁ ପରବର୍ତ୍ତନଶୀଳ ଟର୍ବୋ ଚାର୍ଜଡ୍ ପିଷ୍ଟନ ଇଞ୍ଜିନ ବିଶିଷ୍ଟ ବିମାନରେ ବ୍ୟବହାର କରାଯାଇଥାଏ। ପାଇଲଟମାନଙ୍କର ପ୍ରଶିକ୍ଷଣ ପାଇଁ ଏଫଟିଓ ଏବଂ ପ୍ରତିରକ୍ଷା ବାହିନୀ ଦ୍ବାରା ମୁଖ୍ୟତଃ ଏହି ଇନ୍ଧନ ବ୍ୟବହାର କରାଯାଇଥାଏ ।

ଭଦୋଦରା ସ୍ଥିତ ଇଣ୍ଡିଆନ ଅଏଲର ପ୍ରମୁଖ ବିଶୋଧନାଗାରରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ କରାଯିବ ଏବଂ ଏହାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ପରୀକ୍ଷଣ ପରେ ପ୍ରମାଣିତ କରାଯାଇଛି । ଡିଜିସିଏ ହେଉଛି ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ବୈଧାନିକ ସଂସ୍ଥା । ଏଭିଜିଏଏସ ୧୦୦ ଏଲଏଲ ହେଉଛି ଉଚ୍ଚତର-ଅକ୍ଟେନ ବିମାନ ଇନ୍ଧନ ଯେଉଁଥିରେ ଉନ୍ନତ ପ୍ରଦର୍ଶନ ଲାଗି ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରହିଛି । ଏହା ଆମଦାନୀ ହେଉଥିବା ଇନ୍ଧନର ଗୁଣବତ୍ତା ତୁଳନାରେ ଅଧିକ ଉନ୍ନତ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଦେଶରେ ଉତ୍ପାଦନ ହେବା ଦ୍ବାରା ଆମଦାନୀ ଉପରେ ନିର୍ଭରଶୀଳତା କମିବ ଏବଂ ଏହା ସହ ଜଡ଼ିତ ଲଜିଷ୍ଟିକ୍ସ ସମସ୍ୟାଗୁଡ଼ିକ ଦୂର ହେବ । ଏହି ଉତ୍ପାଦ ଉପଲବ୍ଧ ହେବା ଫଳରେ ଦେଶର ମୂଲ୍ୟବାନ ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ ।

ବର୍ତ୍ତମାନ ଦେଶବ୍ୟାପୀ ଥିବା ୩୫ଟି ଏଫଟିଓ ଏହି ଇନ୍ଧନରୁ ଲାଭବାନ ହେବେ । ଏହି ଉତ୍ପାଦ ଦେଶରେ ଉପଲବ୍ଧ ହେବା ପରେ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଧିକ ପ୍ରଶିକ୍ଷଣ ସଂସ୍ଥାନ ଖୋଲିବା ଲାଗି ଯୋଜନା କରୁଛି । ଏହାଦ୍ବାରା ବିମାନ ଚଳାଚଳ ବୃଦ୍ଧି ପାଇବା ସହିତ ପ୍ରଶିକ୍ଷିତ ପାଇଲଟଙ୍କ ଆବଶ୍ୟକତାକୁ ମଧ୍ୟ ବଢ଼ାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.