ଲଗାତାର ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

• ମୋଟ ପରୀକ୍ଷା ସଂଖ୍ୟା ୪ କୋଟି ନିକଟତର
• ବିଗତ ୨ ସପ୍ତାହରେ ୧ କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୯,୦୧,୩୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ ୧୦ ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି ।
ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି ୪ କୋଟିରେ ପହଞ୍ଚିଛି । ଗତକାଲିସୁଦ୍ଧା ଏହି ସଂଖ୍ୟା ୩,୯୪,୭୭,୮୪୮ରେ ପହଞ୍ଚିଛି । କେବଳ ଗତ ୨ ସପ୍ତାହ ମଧ୍ୟରେ ୧ କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି । ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ ୨୮,୬୦୭ ଛୁଇଁଛି। ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।
ସୁଚିନ୍ତିତ କୋଭିଡ ପରିଚାଳନା ଯୋଗୁଁ ଦେଶରେ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ ହେବା ସହ ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୯୯୮ ସରକାରୀ ଓ ୫୬୬ଟି ଘରୋଇ ଏହିପରି ମୋଟ ୧୫୬୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

Leave A Reply

Your email address will not be published.