ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସ୍‌ଏମ୍‌) ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

  • ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ବିକାଶରେ ନିରନ୍ତର ଅଭିବୃଦ୍ଧି
     
    ନୂଆଦିଲ୍ଲୀ, (ପିଆଇବି) : ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ । ଏହି ୟୁନିଟ୍‌ରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ । ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ୍‌ ଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଦୂରସଞ୍ଚାର, ମୋବାଇଲ୍ ଫୋନ୍ ଇତ୍ୟାଦି ବିଭାଗ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ପ୍ରୟୋଗ କରାଯିବ । ଭାରତରେ ସେମିକଣ୍ଡକ୍ଟରଏବଂ ଡିସପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ୨୧.୧୨.୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମୋଟ୍‌ ୭୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଜୁନ୍ ୨୦୨୩ରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ପ୍ରଥମ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ୨୦୨୪ ଫେବୃଆରିରେ ଆଉ ୩ଟି ସେମିକଣ୍ଡକ୍ଟର ୟୁନିଟ୍‌କୁ ମଞ୍ଜୁରୀ ମିଳିଥିଲା । ଟାଟା ଇଲେକ୍ଟ୍ରୋନିକ୍ସ ଗୁଜରାଟର ଧୋଲେରାରେ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଆସାମର ମୋରିଗାଓଁରେ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି । ଗୁଜରାଟର ସାନନ୍ଦଠାରେ ସିଜି ପାୱାର ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛନ୍ତି । ସମସ୍ତ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ର ନିର୍ମାଣ ଦୃତ ଗତିରେ ଚାଲିଛି ଏବଂ ୟୁନିଟ୍ ଗୁଡ଼ିକ ନିକଟରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଉଭା ହେଉଛି । ଏହି ୪ଟି ୟୁନିଟ୍‌ରେ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି ୟୁନିଟ୍ ଗୁଡ଼ିକର ସମୁଦାୟ କ୍ଷମତା କାର୍ଯ୍ୟକ୍ଷମ ହେଲେ ଦୈନିକ ପ୍ରାୟ ୭ କୋଟି ଚିପ୍ସ ନିର୍ମାଣ କରାଯିବ ।

Leave A Reply

Your email address will not be published.