ଭୁଜାଲି ଓ ଲୁହା ରଡ ସହ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ ରାତ୍ରିରେ ୪ ଜଣ ଯୁବକ ପଦ୍ମପୁର ଉପଖଣ୍ତ ଗାଇସିଲେଟ ଥାନା କରିମୁଣ୍ତା ଗାଁର ଶ୍ରବଣ ବନିଆଁଙ୍କ ଘରକୁ ପଶିଥିଲେ । ହାତରେ ଭୁଜାଲି ଓ ଲୁହା ରଡ ଥିଲା । ସେମାନେ ଶ୍ରବଣକୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରିବାକୁ ଯୋଜନାବଦ୍ଧ ଭାବରେ ଯାଇଥିଲେ । କିନ୍ତୁ ଶ୍ରବଣଂକୁ ନିଦ ହେଉ ନ ଥିବାରୁ ଚେତା ଅବସ୍ଥାରେ ଥିଲେ । ଅସ୍ତ୍ର ସହ ମୁଖା ପିନ୍ଧି ୪ ଜଣ ଯୁବକଙ୍କୁ ଦେଖି ଡରି ଯାଇଥିଲେ । କୌଶଳ କ୍ରମେ ଥାନାକୁ ଖବର ଦେଇଥିଲେ । ପୋଲିସ ପହଂଚିବା ପୂର୍ବରୁ ସେମାନେ ଫେରାର୍ ହୋଇ ଯାଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱ ସହକାରେ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଏକ ଟିମ ଗଠନ କରି ତଲାସୀ ଜାରି ରଖିଥିଲେ । ଫଳ ‌ସ୍ୱରୂପ ୨୦ ତାରିଖ ଗାଇସିଲେଟ ଗ୍ରାମର ପ୍ରଶାନ୍ତ ପାଣ୍ତେ ଓ ଠାକୁର ପାଣ୍ତେକୁ ଗିରଫ କରିବାରେ ସଫଳ ହୋଇଥିଲେ । ଘଟଣା ସହ ସଂପୃକ୍ତ ଥିବା ଅନ୍ୟ ଦୁଇ ଜଣ ଫେରାର୍ ଅଛନ୍ତି । ଗାଇସିଲେଟ ଥାନା କେଶ ନଂ ୧୯୦/୨୦୨୦ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଗିରଫ ଅଭିଯୁକ୍ତଂକୁ କୋର୍ଟ ଚାଲାଣ କରିଛନ୍ତ ।

Leave A Reply

Your email address will not be published.