ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଘୋଷଣା

• ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪

୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ତେଣୁ ସାଇବର ଅପରାଧ ତଥା ତଦ୍ ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ୱତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ର କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ଵାରା ଏହି ଥାନର ସଖ୍ୟା ୧୪ରେ ପହଞ୍ଚିଲା । ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ନିମ୍ନଲିଖିତ ୧୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ । ସେଗୁଡିକ ହେଲା– କଟକ, ଭୁବବନେଶ୍‌ଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗିର ଓ କନ୍ଧମାଳ । ଏହି ଥାନାମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏ.ଏସ୍.ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟସ୍‌ ଆନାଲିଷ୍ଟ, ଆଇଟି ଏକ୍ସପଟ ଓ ସାଇବର ଫରେନ୍‌ସିକ୍‌ ଏକ୍ସପଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାମାନଙ୍କରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.