ହଟିଲା ରାସ୍ତାରୋକ : ପୁଣି ଆସନ୍ତା କାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଧମକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା କଲେଜଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତାରୋକ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ତଞ୍ଚକତା କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀକୁଳ । ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା, ହେଲେ ଏ ଯାଏ ଚାଷୀଙ୍କୁ ଗତ ୨୦୧୯ ବର୍ଷର ଖରିଫ ଫସଲ ବୀମା ରାଶି ମିଳିପାରି ନାହିଁ ।

ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ଚାଷୀମାନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟକୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀମାନେ ରାସ୍ତାରୋକ କରିଥିଲେ । ଫଳରେ ପଦ୍ମପୁର-ଜଗଦଲପୁର-ଛତିଶଗଡ଼ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନର ପନ୍ଥା ଆପଣେଇଥିଲେ ଚାଷୀ ।

ଅନ୍ୟପଟେ ରାସ୍ତାରୋକ ଯୋଗୁଁ ବହୁ ଯାନବାହନ ଅଟକି ଥିବାବେଳେ କଲେଜମାନଙ୍କର ପ୍ରଥମ ପର୍ୟ୍ୟାୟ ନାମଲେଖା ଥିବାରୁ ବହୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ହଇରାଣ ହେବାକୁ ପଡିଥିଲା । ଝାରବନ୍ଧ ତହସିଲଦାର ଅନୀଲ କୁମାର ହୋତା ଆନ୍ଦୋଳନ ସ୍ଥଳକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କୌଣସି ଫଳ ବାହାରି ନଥିଲା ।

ପରେ ଚାଷୀମାନେ ନିଜସ୍ୱ ଆଲୋଚନା ପରେ ରାସ୍ତାରୋକ ଛାଡିବା ସହ ଆସନ୍ତା କାଲି ୨୩ ତାରିଖ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ତାଲା ଖୋଲିବାକୁ ଦେବେ ନାହିଁ ବୋଲି କହିଛନ୍ତି । ଚାଷୀ ନେତା ରମେଶ ମହାପାତ୍ର, ଦହିତ ସାହୁ, ରୋହିତ ପଧାନ, କୈଳାଶ ବାରିକ, ବିଶ୍ୱନାଥ ରଣା, ମୁକ୍ତେଶ୍ଵର ପଟେଲ ପ୍ରମୁଖ ଆନ୍ଦୋଳନର ମଙ୍ଗ ଧରିଥିବା ବେଳେ ବହୁସଂଖ୍ୟାରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ କୋଭିଡ଼ ନିୟମ ଅନୁଯାୟୀ ଆନ୍ଦୋଳନରେ ବସିଛନ୍ତି ।

Leave A Reply

Your email address will not be published.