ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ରାଉରକେଲା ଇସ୍ପାତ କାରଖାନା (ସେଲ) ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୭ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନକୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି । ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱନାଥ ଦାଶ ୧୯୭୪ ମସିହାରେ ବିନା ମୂଲ୍ୟରେ ୩ ଏକର ୧୯ ଡିସିମିଲ ଜମି ୩୦ ବର୍ଷ ପାଇଁ ଲିଜ୍ରେ ଦେଇଥିଲେ । ଯାହାର ଅବଧି ୦୬/୦୧/ ୨୦୦୪ ମସିହା ପର୍ଯ୍ୟନ୍ତ ଥିଲା । ଏହି ଅନୁଷ୍ଠାନ ନିଜର ସାମାଜିକ, ସାହିତ୍ୟ ତଥା ସଂସ୍କୃତିର ପ୍ରତିବଦ୍ଧତା ପାଇଁ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାରେ ସାହିତ୍ୟ, ଅଭିନୟ, କଳା ସଂସ୍କୃତିର ପ୍ରତିଭା ମାନଙ୍କୁ ବିଭିନ୍ନ ଅବସରରେ ସମ୍ବର୍ଦ୍ଧିତ କରିଛି । ସୂଚନାଯୋଗ୍ୟ ଯେ, ଏଠାରେ ଥିବା ଭଞ୍ଜ ପ୍ରକଳ୍ପ ନିର୍ମାଣ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ, ରାଉରକେଲାର ସମସ୍ତ ଓଡ଼ିଆ ପ୍ରେମୀ ଜନସାଧାରଣ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ, ରାଜା ରାମମୋହନ ରାୟ ଫାଉଣ୍ଡେସନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ରାଉରକେଲା ଇସ୍ପାତ କାରଖାନା, ଶିଳ୍ପପତି, ବ୍ୟବସାୟୀ ଏପରିକି ତତ୍କାଳୀନ ଆର୍ଏସ୍ପିର ମୁଖ୍ୟ .ଡ଼ଃ ସନକ ମିଶ୍ରଙ୍କ ପ୍ରଚେଷ୍ଟାରେ ସମ୍ପୂର୍ଣ୍ଣ ରୂପ ଲାଭ କରିଥିଲା । ଏହି ପ୍ରକଳ୍ପ ପାଇଁ ୧୯୮୨ ମସିହାରେ ଆଦର୍ଶ ପାଠାଗାର ଏକ ଟ୍ରଷ୍ଟ ଯାହା ଭଞ୍ଜ ସାଂସ୍କୃତିକ ନ୍ୟାସ ନାମରେ ଗଠନ କରି ଏହାର ନିର୍ମାଣ ଦାୟିତ୍ୱ ଅର୍ପଣ କରିଥିଲା । ଆଦର୍ଶ ପାଠାଗାର ବିଭିନ୍ନ ସମୟରେ ପୁସ୍ତକମେଳା, କୁମାର ପୂର୍ଣ୍ଣିମା, ରଜ ମହୋତ୍ସବ, ମାସିକ ସାହିତ୍ୟ ଆସର, ପଣା ସଂକ୍ରାନ୍ତି, ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକତା ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି । ଯାହା ଓଡିଆ ମାନଙ୍କ ପାଇଁ ଗର୍ବ ଗୌରବର ବିଷୟ ଅଟେ । ଆଦର୍ଶ ପାଠାଗାରକୁ ପ୍ରଦତ୍ତ ଉକ୍ତ ଜମିରେ ସଦୃଶ ଭଞ୍ଜ ପ୍ରେକ୍ଷାଳୟ, ଭଞ୍ଜ ସାଂସ୍କୃତିକ ନ୍ୟାସ, ଭଞ୍ଜ କଳା କେନ୍ଦ୍ର, ଆଦର୍ଶ ପାଠାଗାର ଓ ୪୫ ହଜାର ପୁସ୍ତକ ସମ୍ବଳିତ ବିଶାଳ ଲାଇବ୍ରେରୀ ତଥା ଆଦର୍ଶ ସାହିତ୍ୟ ଘର ତିଆରି କରାଯାଇ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଅଛି । ଏଠାରେ ଉପଲବ୍ଧ ପ୍ରେକ୍ଷାଳୟ, ସାହିତ୍ୟ ଘର ଆଦିକୁ ଇସ୍ପାତ କାରଖାନା, ରାଜ୍ୟ ସରକାର ତଥା ବିଭିନ୍ନ ଅନୁଷ୍ଠାନକୁ ବିନା ମୂଲ୍ୟରେ/ ସ୍ୱଳ୍ପ ମୂଲ୍ୟରେ ପ୍ରଦାନ କରାଯାଇଛି । ଏପରିକି ମହାମାରୀ କରୋନା ସମୟରେ ରାଉରକେଲା ଜନସାଧାରଣଙ୍କ ସେବାରେ ବିନା ମୂଲ୍ୟରେ ଉପଲବ୍ଧ କରାଯାଇଥିଲା । ପ୍ରସଙ୍ଗତ ଉଲ୍ଲେଖନୀୟ ଯେ, ରାଉରକେଲା ଇସ୍ପାତ କାରଖାନାକୁ ପ୍ରଦତ୍ତ ସମସ୍ତ ଜମି ଓଡ଼ିଶା ରାଜ୍ୟ ସରକାରଙ୍କର । ରାଉରକେଲା ଇସ୍ପାତ କାରଖାନା ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଜମି ଲିଜ ରାଜିନାମା ୧୯୯୩ ମସିହାରେ ହୋଇଥିଲା । ସେହି ରାଜିନାମାର ୭ ନମ୍ବର ଅନୁଛେଦ ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନା ଏହି ପ୍ରଦତ୍ତ ଜମିକୁ ଓଡିଶା ସରକାରଙ୍କ ସ୍ୱୀକୃତି ବିନା ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ ନାହିଁ କି କାହାକୁ ଦେଇପାରିବେ ନାହିଁ । ଅନୁଛେଦ ୮ ଅନୁଯାୟୀ ଏକ ସବଲିଜ୍ କମିଟି ଆର୍ଏସ୍ପିର ମୁଖ୍ୟ ଅଧ୍ୟକ୍ଷଙ୍କ ସହ ୩ ଜଣ ବରିଷ୍ଠ ଅଧିକାରୀ ଓ ରାଜ୍ୟ ସରକାରଙ୍କ ୩ଜଣ ପ୍ରତିନିଧି ରହିବେ । ଏହି ସବଲିଜ କମିଟି ଜମି ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବର ଉଦ୍ଦେଶ୍ୟ ତଥା ସର୍ତ୍ତାବଳୀ ନିର୍ଦ୍ଧିଷ୍ଟ ଭାବେ ଲେଖି ସୁପାରିଶ କରିବେ । ଓଡ଼ିଶା ସରକାର ଏହି ପ୍ରସ୍ତାବ ଗୁଡିକୁ ମଞ୍ଜୁରୀ ଦେଇ ପାରନ୍ତି, ଅଗ୍ରାହ୍ୟ କିମ୍ବା ପରିବର୍ତ୍ତନ କରିପାରନ୍ତି । ତେଣୁ ରାଉରକେଲା ଇସ୍ପାତ କାରଖାନାର କୌଣସି ଭୂମିକା ନାହିଁ । ୨୦୦୪ ମସିହାରେ ଆଦର୍ଶ ପାଠାଗାରର ଅନୁରୋଧକୁ ରକ୍ଷା କରି ଏହି ସବଲିଜ୍ କମିଟି ୨୦୧୦ ମସିହାରେ ଓଡ଼ିଶା ସରକାରଙ୍କୁ, ଆଦର୍ଶ ପାଠାଗାରକୁ ଭଞ୍ଜଭବନ ଓ ଲାଇବ୍ରେରୀ ପାଇଁ ୧ ଟଙ୍କା ମୂଲ୍ୟ ବିନିମୟରେ ୩୩ବର୍ଷ ଅର୍ଥାତ୍ ୨୦୩୭ ମସିହା ପର୍ଯ୍ୟନ୍ତ ଲିଜ୍ ନବୀକରଣ କରିବା ପାଇଁ ସୁପାରିଶ କରିଥିଲେ । ୨୦୧୦ରେ ପଠାଯାଇଥିବା ସୁପାରିଶକୁ ରାଜ୍ୟ ସରକାର ୨୦୧୧ମସିହା (୧୭/୦୧/୨୦୧୧)ରେ ତାହାକୁ ଅନୁମୋଦନ କରି ଏକ ତ୍ରିପାକ୍ଷିକ ରାଜିନାମା କରିବା ପାଇଁ ନିର୍ଦ୍ଦେଶ ଦେଲେ । ତେବେ ମୂଳ ସର୍ତ୍ତାବଳୀ ଓ ଅନୁମୋଦନକୁ ଉପେକ୍ଷା କରି ଆର୍ଏସ୍ପି କର୍ତ୍ତୃପକ୍ଷ ବାର୍ଷିକ ପ୍ରାୟ ଲକ୍ଷାଧିକ ଟଙ୍କା ୨୦୦୪ ମସିହାରୁ ଦେବାପାଇଁ ପାଠାଗାରକୁ ନିର୍ଦ୍ଦେଶ ଦେଲେ । ଏହାକୁ ନେଇ ପାଠାଗାର ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । ଶେଷରେ ତାହା ନ୍ୟାୟାଳୟ ପର୍ଯ୍ୟନ୍ତ ଗଲା । ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ବଳପୂର୍ବକ ଭାବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜୋର ଜବରଦସ୍ତ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ପ୍ରତିବାଦ କରାଯାଉଛି । ପ୍ରକାଶ ଥାଉକି ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ଠାରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୨୨ହଜାର ଏକର ଜମି, ଯେଉଁ ଆଦିବାସୀ ଓ ସ୍ଥାନୀୟ ଅଧିବାସୀଙ୍କୁ ବିସ୍ଥାପିତ କରି ନିଆଯାଇଥିଲା ସେହି ଜମିକୁ ଆଜି ବେଆଇନ ଭାବେ ହଜାର ହଜାର ଏକର ଜବର ଦଖଲ ହୋଇଥିଲେ ସୁଦ୍ଧା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଯେଉଁ ପିପି କୋର୍ଟ ମାଧ୍ୟମରେ ମୁକ୍ତ କରିବା ପାଇଁ ଅକ୍ଷମ ହୋଇଥିଲା ବେଳେ ନ୍ୟାୟ ସଙ୍ଗତ ଭାବେ ଆଦର୍ଶ ପାଠାଗାର ଜମିକୁ ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇ ଏହାକୁ ଅକ୍ତିଆରକୁ ନେବା ଓ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ବନ୍ଦ କରିଦେବା କେତେଦୂର ସମୀଚିନ ତଥା ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ରାଉରକେଲା ବାସୀ ତଥା ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଉରକେଲା ଇସ୍ପାତ କାରଖାନା ଓଡ଼ିଶାର ଗୌରବ, ତଥା ଏହାକୁ ୧୦ ମିଲିୟନ ଟନ୍ କରିବା ପାଇଁ ୩୬ ହଜାର କୋଟି ଟଙ୍କା ସେଲ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅକ୍ଷମ ହୋଇଛନ୍ତି । ଓଡ଼ିଶାର ଜମି, ଜଙ୍ଗଲ, ପାଣି, ଖଣି ପ୍ରମୁଖ ବ୍ୟବହାର କରୁଛି । ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ସମସ୍ତ ଓଡ଼ିଆଙ୍କ କାମ୍ୟ। ତଦାନୁଯାୟୀ ଆର୍ଏସ୍ପିର କର୍ତ୍ତୃପକ୍ଷଙ୍କ ଓଡ଼ିଆ ଅନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହିତ କରିବା ସାମାଜିକ ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ ଗତକାଲି ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସହରର ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ରାଜନୈତିକ ତଥା ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ବୈଠକ କରାଯାଇ ଆର୍ଏସ୍ପିର ଏତାଦୃଶ କାର୍ଯ୍ୟକଳାପ ପାଇଁ ଘୋର ନିନ୍ଦା କରାଯାଇ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ଓଡ଼ିଆ ଅସ୍ମିତାକୁ କୁଠାରାଘାତ କରି ତଥା ନୀତି ନିୟମକୁ ଜଳାଞ୍ଜଳି ଦେଇ ତତ୍କାଳୀନ ରାଜ୍ୟ ସରକାର ଆଦର୍ଶ ପାଠାଗାରକୁ ପ୍ରଦତ୍ତ ଜମିକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେଇ ଆର୍ଏସ୍ପି ଲକ୍ଷ ଲକ୍ଷ ଓଡ଼ିଆ ପ୍ରେମୀଙ୍କୁ ମନରେ ଆଘାତ ଦେଇଛି । ଆରଏସପି ଗୋଟିଏ ପରେ ଗୋଟିଏ ଓଡ଼ିଆ ଅନୁଷ୍ଠାନ, ବିଦ୍ୟାଳୟ, ଇସ୍ପାତ ଜେନେରାଲ ହସ୍ପିଟାଲକୁ ଘରୋଇ କରଣ କରିବା ଚକ୍ରାନ୍ତ ଅବ୍ୟାହତ ରଖି ନିଜର ଶ୍ରମିକ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଚାଲିଛି, ଯାହାକୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା ଏବଂ ଅବିଳମ୍ବେ ଆଦର୍ଶ ପାଠାଗାରକୁ ତାର ଜମି ଫେରାଇବା ସହିତ ରାଜ୍ୟ ସରକାରଙ୍କ ଚୁଡାନ୍ତ ଅନୁମୋଦନ କ୍ରମେ ଏକ ଟଙ୍କା ମୂଲ୍ୟ ବିନିମୟରେ ୩୩ବର୍ଷ ଅର୍ଥାତ୍ ୨୦୩୭ ମସିହା ପର୍ଯ୍ୟନ୍ତ ଲିଜ ନବୀକରଣ କରିବାକୁ ଦାବି କରାଯାଇଥିଲା । ସେହିପରି ଇସ୍ପାତ କାରଖାନାର ଡିଆଇସିଙ୍କୁ ଏସମ୍ପର୍କରେ ଅପିଲ କରାଯାଇ ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ଅନୁରୋଧ କରାଯାଇଛି । ନଚେତ୍ ଏହା ବିରୁଦ୍ଧରେ ଏକ ବଡଧରଣର ଜନ ଆନ୍ଦୋଳନ କରାଯିବା ପାଇଁ ରାଉରକେଲା, ସୁନ୍ଦରଗଡ ତଥା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏସମ୍ପର୍କରେ ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ, ରାଜନୈତିକ ଦଳର ନେତୃବୃନ୍ଦ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ସାକ୍ଷାତ କରି ନିଜର ଉଦବେଗ ଓ ଦାବି ଉପସ୍ଥାପନ କରିବେ ବୋଲି ସ୍ଥିର କରାଯାଇଛି । ଏହି ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କି, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ତଥା ସୁନ୍ଦରଗଡ ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି । ଏହି ଆହୁତ ବୈଠକରେ ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ତରଫରୁ ବିଷ୍ଣୁ ମହାନ୍ତି, ସୁଦାମ ଚରଣ ଦାଶ, ସଂଜୀବ ମହାନ୍ତି, ବିଚିତ୍ରାନନ୍ଦ ସାହୁ, ଅକ୍ଷୟ ସାମଲ, ଚନ୍ଦ୍ରଶେଖର ଶତପଥୀ, ଗଙ୍ଗାଧର ଦାଶ, ଦିଲ୍ଲୀପ କୁମାର ପଟ୍ଟନାୟକ, ଶ୍ରୀମନ୍ତ ବେହେରା, ତ୍ରିଲୋଚନ ପରିଡା, ପ୍ରଭାତ କୁମାର ମହାନ୍ତି, ରାଜକିଶୋର ପ୍ରଧାନ, ବିମାନ ମାଇତି, ଡାକ୍ତର ଉତ୍ତମ ଚରଣ ଜେନା, ଅନିଲ କୁମାର ଦାଶ, ବିମଳ କୁମାର ବିଶି, ପୀତବାସ ପ୍ରଧାନ, ପ୍ରଫୁଲ୍ଲ ସାମଲ, ନଳିନୀକାନ୍ତ ଧର, ସୁକାନ୍ତ ମହାପାତ୍ର, ବିଜୟ କୁମାର ପାତ୍ର, ଟୁକୁଲା ପାଢ଼ୀ, ଏଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ପ୍ରମୋଦ କୁମାର ବୋଇତି, ପ୍ରସନ୍ନ କୁମାର ସାବତ, ହରିହର ଶତପଥୀ, ଦିଗମ୍ବର ମହାନ୍ତି ତଥା ଆଦର୍ଶ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ ।