ବରଗଡ଼, (ମୁନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି । କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ ନେଇ ସ୍ଥାନୀୟ ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଜୁଆଲରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ସାଧାରଣ ହାତ ମାରିଲେ ମଧ୍ୟ ରାସ୍ତା ଉପରୁ ପିଚୁ ଉଠିଯାଉଛି । ଏହାର ନିର୍ମାଣ କାମର ଗୁଣମାନ କେତେ ମାନର ଭିତ୍ତିରେ ହେଉଛି, ସେଥିପାଇଁ ପ୍ରଶ୍ନ ଉଠିଛି । ଲକ୍ଷ କି ଦୁଇ ଲକ୍ଷ ନୁହେଁ, ବରଂ ୫ କୋଟି ୩୧ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟରେ ପାଖାପାଖି ଛଅ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ପାଇଁ ଚୁକ୍ତି ହୋଇଥିବା ତଥ୍ୟ ସୂଚନା ଫଳକରେ ଉଲ୍ଲେଖ ରହିଛି । ଏହି କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଛି । ସୂଚନା ଅନୁଯାୟୀ, ୨୦୨୪ ଫେବୃଆରି ମାସରୁ କାମ ଆରମ୍ଭ ହୋଇ ୨୦୨୪ ଡିସେମ୍ବର ମାସରେ ଶେଷ ହେବା କଥାଥିଲା । କିନ୍ତୁ ୨୦୨୪ ଡିସେମ୍ବର ଶେଷ ହୋଇଯାଇଥିବା ସତ୍ତ୍ୱେ, ଏବେ ୨୦୨୫ ଡିସେମ୍ବର ଶେଷ ହେବାକୁ ବସିଲାଣି, ତଥାପି ରାସ୍ତା କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ସରକାର ବଦଳି ସାରିଥିବା ସତ୍ତ୍ୱେ ମଧ୍ୟ ରାସ୍ତା କାମ ସ୍ଥଳରେ ପୂର୍ବ ସରକାର ସମୟର ୫ଟି ସୂଚନା ଫଳକ ଏଯାବତ୍ ଲାଗି ରହିଛି, ଯାହା ପ୍ରଶାସନିକ ଅବହେଳାକୁ ସୂଚିତ କରୁଛି । ଏହି ବିଷୟ ନେଇ ଗ୍ରାମର ସଚେତନ ନାଗରିକ ପ୍ରକାଶ ଭୋଇ, ଅମିତ ସାହା, ଅର୍ଜୁନ ସାହା, ସଂକ୍ରଜିତ ସାହା, ପ୍ରମୋଦ ଭୋଇ, ବଳରାମ ଦିଶ୍ରୀ, ତ୍ରିଲୋଚନ ଭୋଇ, ଦିବାକର ଭୁଏ ଓ ନର୍ସିଙ୍ଗ ଭୁଏ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେମାନେ ରାସ୍ତା କାମର ଗୁଣମାନ ଯାଞ୍ଚ ସହ ଦାୟୀ ଠିକାଦାର ଓ ସମ୍ପୃକ୍ତ ବିଭାଗ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହା ସହ ଆଉ ଏକ ନୂଆ ମୋଡ଼ ନେଇଛି ଘଟଣା । ଅର୍ଡ଼ା ଗ୍ରାମର ସୁଦାମ ଚରଣ ସାହୁ, ଯିଏ ଜିଲ୍ଲା ପରିଷଦ ସଦସ୍ୟ ବୋଲି ଜଣାପଡ଼ିଛି, ସେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାସହ ସେ ବିଜେପୁର ଥାନାରେ ସାଲେଦମକି ଗ୍ରାମର ପ୍ରକାଶ ଭୋଇ ନାମରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।