ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ ଏବଂ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ମୟୂରଭଞ୍ଜ ଜିଲ୍ଲା କମିଟିର ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କ ତତ୍ୱାବଧାନରେ ଭଞ୍ଜପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ (ହାସା) ମାତୃଭୂମି, (ଭାଷା) ମାତୃଭାଷା ଅର୍ଥାତ୍ ସାନ୍ତାଳ ପାର୍ଗାନା ଦିଶୋମ, ସିଏନଟି, ଏସପିଟି ଓ ସାନ୍ତାଳୀ ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ସମାଜ ସୁଧାର ସେଙ୍ଗେଲ ସଂକଳ୍ପ ସଭା କରାଯାଇ ସମାଜର କୁପ୍ରଥାକୁ ହଟାଯାଇ ବୃହତ ଏକତା ଗଠନ କରି ବୃହତ ଜନ ଆନ୍ଦୋଳନ ଠିଆ କରିବାକୁ ଆହ୍ୱାନ ଦିଆଯାଇଛି । ତତ୍ ପଶ୍ଚାତ ଓଡ଼ିଶା ପ୍ରଦେଶ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି ଯେ, ଭାରତରେ ସମସ୍ତ ମାନବ ସମୁଦାୟଙ୍କୁ ଧାର୍ମିକ ସ୍ୱାଧୀନତା ଦିଆଯାଇଛି, କିନ୍ତୁ ଭାରତ ସ୍ୱାଧୀନ ହୋଇ ୭୭ ବର୍ଷ ହେଲା ଆଜି ସୁଦ୍ଧା ପ୍ରକୃତି ପୂଜକ ଆଦିବାସୀମାନଙ୍କୁ ଧାର୍ମିକ ସ୍ୱାଧୀନତା ଦିଆଯାଇନାହିଁ । ବରଂ ଆଦିବାସୀମାନଙ୍କୁ ଜୋରଜବରଦସ୍ତି ଧର୍ମାନ୍ତରୀକରଣ କରାଯାଉଛି । ସେହିପରି ଭାରତର ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ୨୨ ଗୋଟି ଭାଷା ମଧ୍ୟରୁ ୨୧ ଗୋଟି ଭାଷା ମାଧ୍ୟମରେ ଭାଷା ଭିତ୍ତିକ ରାଜ୍ୟ ଗଠନ ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାକୁ ଝାଡ଼ଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ଦିଆଯାଇ ନାହିଁ । ବରଂ ବିଦେଶୀ ଭାଷା ଇଂରାଜୀ, ଉର୍ଦ୍ଧୁ, ସଂସ୍କୃତ ଏବଂ ହିନ୍ଦି ଭାଷା ଗୁଡିକ ଅନେକ ରାଜ୍ୟରେ ଦ୍ୱିତୀୟ ଏବଂ ତୃତୀୟ ରାଜଭାଷା ରୂପରେ ମାନ୍ୟତା ଦିଆଯାଇଛି । ତେବେ ଦୁଃଖର ବିଷୟ ଏହା ଯେ, ଓଡ଼ିଶା ସମେତ ଆଦିବାସୀ ବହୁଳ ରାଜ୍ୟରେ ସାନ୍ତାଳୀ ଭାଷାକୁ ଦ୍ୱିତୀୟ ରାଜଭାଷା ରୂପରେ ମାନ୍ୟତା ପ୍ରଦାନ କରାଯାଉନାହିଁ । ଯାହାକି ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ସାର୍ନା ଧର୍ମ କୋଡ଼ ମାନ୍ୟତା ଏବଂ ସାନ୍ତାଳୀ ଭାଷାକୁ ଝାଡ଼ଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ପାଇଁ ଦୀର୍ଘ ଦିନରୁ ବାରମ୍ବାର ଦାବି କରାଯାଉଅଛି । ଏହାର ଅର୍ଥ ହେଉଛି, ଦେଶ, ଦୁନିଆର ଆଦିବାସୀମାନଙ୍କର ଭାଷା, ସଂସ୍କୃତିକୁ ବିଲୁପ୍ତ କରାଯାଇ ଆଦିବାସୀମାନଙ୍କୁ ଯୁଗ ଯୁଗ ଧରି ଗୁଲାମୀରେ ରଖିବାର ଷଡ଼ଯନ୍ତ୍ର କରାଚାଲିଛି ବୋଲି ପ୍ରକାଶ କରାଯାଇଛି । ତେବେ ଅବିଳମ୍ବେ ସାର୍ନା ଧର୍ମ କୋଡ଼ ଏବଂ ସାନ୍ତାଳୀ ଭାଷାକୁ ରାଜଭାଷା ମାନ୍ୟତା ଦେବା ପାଇଁ ସାକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦୃଢ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜୋନାଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ଜିଲ୍ଲା ସେଙ୍ଗେଲ ଯୁବା ସଭାପତି ଉଦୟନାଥ ହେମ୍ବ୍ରମ ସହ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।