- ରୋଟାରି ୨୦୨୫-୨୬ ବର୍ଷପାଇଁ ଦର୍ଶନ ଭମର ସଭାପତି ଓ ଭାବେଶ ପଟେଲ ସମ୍ପାଦକ ଭାବରେ ଶପଥ ନେଲେ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ହୋଟେଲ ସରୋଜିନୀ ରେସିଡେନ୍ସିରେ ରୋଟାରି ଏଲିଟର ୧୪ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟନା ଏକ ଯୋଗଦେଇ ରୋଟାରି ଏଲିଟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟତଃ ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅମାନଙ୍କ ସାମଗ୍ରିକ ବିକାଶ ପାଇଁ ହେଉଥିବା ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ରୋଟାରି ଏକ ଏହିଭଳି ସଂସ୍ଥା ଯାହା କେବଳ ଦେବାରେ ବିଶ୍ୱାସ କରେ ନେବାରେ ନୁହେଁ ବୋଲି କହିଥିଲେ । ଏହି ଅଞ୍ଚଳକୁ ବିକଶିତ କରିବାକୁ ଏହିଭଳି ସାମାଜିକ ସଂସ୍ଥା ଓ ବ୍ୟକ୍ତିଙ୍କ ପ୍ରୟାସ ବହୁତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ଇନଷ୍ଟଲେସନ ଅଫିସର ରୋଟାରିର ନିର୍ବାଚିତ ଗଭର୍ନର ରୋଟାରୀଆନ ଭାନୁ ପ୍ରତାପ ସିଂ ଚୌଧୁରୀ ଏଲିଟର ଉଡାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ରୋଟାରି ଏଲିଟରେ ସ୍ୱାମୀ ଓ ସ୍ତ୍ରୀ ଦୁହିଜଣଙ୍କୁ ସଭ୍ୟ ରଖିବାର ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ରୋଟାରି ଏଲିଟର ଉଡାନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଝିଅମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେଲେ ନିଜକୁ ଧନ୍ୟ ମନେକରିବି ବୋଲି ପ୍ରକାଶ କରିଥିଲେ । ବାର୍ଷିକ ବିବରଣୀରେ ୨୦୨୪-୨୫ର ସଭାପତି ଅର୍ଚନା ଶତପଥୀ ରୋଟାରି ଏଲିଟର ଉଡାନ, ଗ୍ରୀନ ଡ୍ରିମ, ଦୃଷ୍ଟି ତଥା ଜନସଚେତନତା ପାଇଁ ସେମିନାର, ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀଆନ ଦର୍ଶନ ଭମର ଓ ରୋଟାରୀଆନ ଭାବେଷ ପଟେଲ ୨୦୨୫-୨୬ ପାଇଁ ଯଥାକ୍ରମେ ସଭାପତି ଓ ସମ୍ପାଦକ ଭାବରେ ଶପଥ ନେଇଥିଲେ । ୨୦୨୫-୨୬ ପାଇଁ ରୋଟାରି ଏଲିଟର ବୋର୍ଡ ଅଫ ଡିରେକଟରରେ ଉପସଭାପତି ଭାବରେ ସନ୍ଦୀପ ପାଣିଗ୍ରାହୀ ଓ ବବିତା ନାଏକ, ସହ ସମ୍ପାଦିକା ମମତା ପରମାର, କୋଷାଧକ୍ଷ ଡ ପ୍ରକାଶ ଚନ୍ଦ୍ର ଦାସ, ସହ କୋଷାଧକ୍ଷ ଶ୍ରୀକାନ୍ତ ଶର୍ମା, ସରଜେଣ୍ଟ ଏଟ ଆର୍ମସ ସୌମେନ୍ଦ୍ର ପରିଛା ଶପଥ ନେଇଥିଲେ । କ୍ଲବ ନିର୍ଦେଶକ ଭାବରେ ଅସିତ ଷଡ଼ଙ୍ଗୀ, ପ୍ରଶାନ୍ତ ବିଶ୍ୱାଳ, ଧର୍ମେନ୍ଦ୍ର ନନ୍ଦ, ବିଶ୍ୱଜିତ ଦାଶ, ସିନୁ ସୁନ୍ଦର ପାଢ଼ୀ, ନୂତନ ନାୟକ, ରିଙ୍କୁ ପାତ୍ର, ହେମନ୍ତ ପଟେଲ, ଅଜିତ ଶତପଥି, କ୍ଲବ ସଂଯୋଜକ ସଂଜୀବ ନାଏକ ଓ ଉପଦେଷ୍ଟା ଭାବରେ ଅଶୋକ ପାଢ଼ୀ ଓ ନରେନ୍ଦ୍ର ସାହୁ ଶପଥ ନେଇଥିଲେ । ଏହିଦିନ ନୂତନ ସଭ୍ୟ ଭାବରେ ବାଲାଙ୍ଗିରର ଜଣାଶୁଣା ଦାନ୍ତ ଚିକିତ୍ସକ ଡାକ୍ତର ପଞ୍ଚଜନ୍ୟ ପଣ୍ଡା ଓ ସହଧର୍ମିଣୀ ଅଙ୍କିତା ପଣ୍ଡାଙ୍କୁ ରୋଟାରି ପିନ ପ୍ରଦାନ କରି ସ୍ୱାଗତ କରାହେଲା । ନିଜର ବଳିଷ୍ଠ ଓ ସାହାସିକ ସାମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ତଥା ଓଟିଭିର ପଶ୍ଚିମ ଓଡିଶା ବିୟୁରୋ ଚିଫ ମନରଞ୍ଜନ ଯୋଶୀଙ୍କୁ “ବିକନ ଅଫ ହୋପ” ଭାବରେ ସମ୍ବର୍ଦ୍ଧିତ କରାହେଲା । ଏହି ସଭାରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇ ଏଲିଟ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ଶେଷରେ ୨୦୨୪-୨୫ର ସମ୍ପାଦିକା ବବିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।