ଇରମ ଗୁଳିକାଣ୍ଡ : ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ

ଡ଼ଃ. ଦେବେନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଶବ ସଂରକ୍ଷକ ଫ୍ରିଜ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଲୁଣିଆ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଡଃ.ଅଜୟ କୁମାର ପଣ୍ଡା ଯୋଗଦାନ କରି କହିଲେ ଯେ, ଇରମ ଗୁଳିକାଣ୍ଡ ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ । ସଂଜ ହେବାକୁ ଆଉ ଅଳ୍ପ ସମୟ ବାକିଥାଏ ହଠାତ୍ ଆକାଶରୁ ଅଗ୍ନି ଉଦ୍‌ଗିରଣ ହୋଇ ଇରମ ମେଲଣ ପଡିଆ ସନ୍ନିକଟ ନହଣ ପୋଖରୀରେ ରକ୍ତଜବାର ଆଭା ଯୁଗ ଯୁଗ ପାଇଁ ଭଦ୍ରକ ମାଟିକୁ ସଂଗ୍ରାମ ମାଟିରେ ପରିଣତ କରିଦେଲା । ଯେପରି ଗୀତା ସଂଘର୍ଷର ଶାସ୍ତ୍ର ସେହିପରି ଭଦ୍ରକ ବଳିଦାନର ମାଟି । ଆଜିବି ଏ ମାଟିକୁ ଚିପୁଡି ଦେଲେ ଶହୀଦମାନଙ୍କ ରକ୍ତରେ ହାତ ରକ୍ତ ରଂଜିତ ହୋଇଯାଏ । ସେ ଆହୁରି ମଧ୍ୟ କହିଲେ ଯେପରି କବିଟିଏ ତା କବିତା ପାଇଁ ଅମରତ୍ୱ ଲାଭ କରେ ସେହିପରି ଜଣେ ସାଧାରଣ ମଣିଷ ନିଜ ଦେଶ ପାଇଁ ଜାତି ପାଇଁ ନିଜକୁ ବଳିଦାନ ଦେଲେ ସେ ଚିରକାଳ ପାଇଁ ଅମର ହୋଇଯାଏ । ୧୯୨୧ ମସିହାରୁ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନ ଶେଷରେ କର ବା ମର ନୀତି ଆପଣେଇ ୧୯୪୨ମସିହା ଇରମ୍ ଗୁଳିକାଣ୍ଡରେ ଶେଷ ହୋଇଥିଲା । ମୁଖ୍ୟଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ କହିଲେ ଯେ ଆମେ ମାଟି ମନସ୍କ ଓ ଜାତି ମନସ୍କ ହୋଇ ପାରିଲେ ଏହା ହିଁ ହେବ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆମେ ସର୍ବଦା ନିଜର ସାଧନା ଉପରେ ବିଶ୍ୱାସ ରଖିଲେ ନିଶ୍ଚୟ ଦିନେ ନା ଦିନେ ସିଦ୍ଧି ଲାଭ କରିବା । ଏହି ଅବସରରେ ଇରମର ୨୯ ଜଣ ଓ ଲୁଣିଆର ୯ ଜଣ ଶହୀଦଙ୍କୁ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଶିକ୍ଷାବିତ ଡଃ. ଦେବେନ୍ଦ୍ର ମୋହନ ପ୍ରହରାଜଙ୍କ ସ୍ମ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପତ୍ନୀ ଓ ପୁତ୍ରମାନେ ଧାମରା ସଂଘକୁ ଏକ ଭ୍ରାମ୍ୟମାଣ ଶବସଂରକ୍ଷକ ଫ୍ରିଜ୍ ଦାନ କରିଥିଲେ । ଏହି ଫ୍ରିଜ୍ ଦାନ କାର୍ଯ୍ୟକ୍ରମରେ ଅନିଲ କୁମାର ଦାଶଙ୍କ ସହଯୋଗକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ସାଧାରଣ ସଂପାଦକ ଭଗବାନ ରାଉତ ସ୍ୱାଗତ ଭାଷଣ ସହ ଡଃ. ପ୍ରହରାଜଙ୍କ ସ୍ମୃତିଚାରଣ କରିଥିଲେ । ସହସାଧାରଣ ସଂପାଦକ ଅକ୍ଷୟ ଦାସ ମଞ୍ଚ ପରିଚାଳନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ରାଜକୁମାରୀ ଦେବୀ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଳକୃଷ୍ଣ ସ୍ୱାଇଁ, ମହେନ୍ଦ୍ର ମହାନ୍ତି, ଉପେନ୍ଦ୍ର ନାୟକ , ଶମ୍ଭୁନାଥ ପରିଡା, ରମାକାନ୍ତ ପରିଡା, ଜ୍ଞାନରଂଜନ କର, ଅମୂଲ୍ୟ ସେଠୀ, ସସ୍ମିତା ପ୍ରଧାନ, ନିରୁପମା ନାୟକ, ରତ୍ନାକର ବଳ, ଶ୍ରୀବତ୍ସ କୁଅଁର, ସୂର୍ଯ୍ୟ ପଣ୍ଡା, ହରେକୃଷ୍ଣ ଦାଶ ଆଦି କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସହରର ପ୍ରାୟ ସବୁ ଅନୁଷ୍ଠାନର କର୍ମକର୍ତ୍ତାଗଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.