-ନୀଳାଦ୍ରି ମହାପାତ୍ର
ଯେବେଠୁ ତୁ ଯୁଦ୍ଧ ଘୋଷଣାର
ଆଉ ଯୁଦ୍ଧ ଆରମ୍ଭର
ଶଙ୍ଖ ଫୁଂକିଛୁ
ସେବେଠୁ ମୁଣ୍ଡ ନୁଆଁଇ ସାରିଛି ମୁଁ
ଶରଣ ପଶି ସାରିଛି ମୁଁ ।
ପୁଣି ଏ ଯୁଦ୍ଧ କାହା ବିପକ୍ଷରେ ?
ଆ ଯୋଉ ବାହନରେ, ବାହାନାରେ
ଆସୁଛୁ ଆ
ସବୁବେଳେ ତୋ ପାଦ ପାଖରେ
ଧୂଳିରେ ଗଡି ପ୍ରସ୍ତୁତ ମୁଁ ।
ଯୋଉ ହାତ ହତିଆର
ଖଣ୍ଡା କି ଖର୍ପର
ଧରି ଆସୁଛୁ ଆ
ମୁଁ ବି ପଜେଇ ରଖିଛି
ମୋ ଓଠ କଣରେ
ହସର ହତିଆର
କୋଉବି ଧାରୁଆ ଅସ୍ତ୍ରରେ
କାଟି ନହେଲା ପରି
କେବେଠୁ ପ୍ରେମର ପଲସ୍ତରାରେ
ପଥର କରି ସାରିଛି ପିଠିକୁ ମୋର ।
ଢାଲ କରି ଧରି ରଖିଛି
ଆଖି କଣରେ
ଢଳ ଢଳୋଉ ଥିବା ମୁକ୍ତା
ଏଇତ ସବୁଠାରୁ ଶକ୍ତିଶାଳୀ
ତୋର ଏ ଶତ୍ରୁର ଅବସ୍ଥା ।
ଏକଥା ସତ
ମୁଁ ତୋର ସବୁଠାରୁ ପ୍ରିୟ ଶତ୍ରୁଟିଏ
ଥରେ ନୁହଁ
କେତେଥର ମାରି ମାରି
ପୁଣି ମୋତେ ମାରିବାକୁ
ତୋର ଏମିତି ମନ ବଳୁଥାଏ ।
ଏକଥା ବି ଆହୁରି ସତ
ତୋ ପରି ଶତ୍ରୁଟିଏ
ଏଯାଏ ମୁଁ ଖୋଜି ପାଇଲିନି
ତୋ ହାତରେ ମରିବାଠୁ ଆନନ୍ଦ
ଏ ଶତ୍ରୁର ଆଉ କିଛି ନାହିଁ ।
- ମୋ.ନଂ : ୯୪୩୧୧୧୩୬୫୮