ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱେସ୍କୋ, ସାଉଥକୋ’କୁ ଟାଟା ପାୱାରକୁ ବିକ୍ରି କରିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାକୁ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ ବଲାଙ୍ଗିର ସର୍କଲ ତରଫରୁ ଏକ ସାଂବାଦିକ ସମ୍ମିଳନୀରେ ମଂଚର କର୍ମକର୍ତ୍ତମାନେ ବିରୋଧ କରିଛନ୍ତି । ମଂଚ ତରଫରୁ କୁହାଯାଇଛି ଯେ, ଗତ ୨୫ ସେପ୍ଟେମ୍ବର ୨୦୨୦ରେ ସମସ୍ତ ସଂଗଠନ (ଡବ୍ଲୁଓବିଏସ୍କେଇଇଏମ୍) ତରଫରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ଏବଂ ଶକ୍ତି ବିଭାଗ ନିର୍ଦ୍ଦେଶ ଅନୁସାରେ ଆମର ଦାବୀ ଉପରେ ଡିପାର୍ଟମେଣ୍ଟ ଆମ ସହିତ ଆଲୋଚନା କରି ରାଜ୍ୟପାଳ ବା ଶକ୍ତି ବିଭାଗକୁ ରିପୋର୍ଟ ଦେବା କଥା । କିନ୍ତୁ ଆଜି ପର୍ୟ୍ୟନ୍ତ କେହି ଆମ ସହିତ ସଂପର୍କ କରି ନଥିବା ବେଳେ ଓଇଆରସି ବା ସରକାର ଘରୋଇ କରଣ କରିବାକୁ ଟାଟା ପାୱାରକୁ ୦୩.୧୨.୨୦୨୦ରେ ଏଲ୍ଓଏଲ୍ ଦେଇଛନ୍ତି । ଯାହାକୁ ଏହି ମଂଚ ଦୃଢ ବିରୋଧ କରୁଛି । ଦୀର୍ଘ ଦିନରୁ କାର୍ୟ୍ୟରତ ଆଉଟସୋର୍ସ କର୍ମଚାରୀଙ୍କୁ ପ୍ରତିଶୃତି ମୁତାବକ ରେଗୁଲାର କରିବାକୁ ସମାଧାନ ନ କରିବା, ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧୀକାରୀଙ୍କୁ ଚାକିରୀ, କର୍ମଚାରୀଙ୍କ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ନ କରି, ଚାକିରୀ ସର୍ତ୍ତାବଳୀକୁ ଅପିବର୍ତ୍ତିତ ରଖିବା, ପେନସନ ପିଏଫ୍ ଟ୍ରଷ୍ଟ ବୋର୍ଡରେ ଥିବା କୋଟି କୋଟି ଟଙ୍କାର ଅଭାବକୁ ପୁରଣ ଇତ୍ୟାଦି ବିଷୟକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ନ କରି ଏଭଳି ଏକ ତରଫା ଘରୋଇକରଣକୁ ମଂଚ ବିରୋଧ କରୁଛି । ଏହି ତିନୋଟି ସଂସ୍ଥାକୁ ବିଗତ ୧୯୯୯ ମସିହାରୁ ବିଏସ୍ଇଏସ୍ ପରେ ରିଲିଆନ୍ସ ଏନେର୍ଜି ପରି ଭାରତ ବର୍ଷର ବୃହତ୍ତର କଂପାନୀକୁ ରାଜ୍ୟ ସରକାର ୫୧ ପ୍ରତିଶତ ଅଂଶଧନ ବିକ୍ରି କରି ପରିଚାଳନା ଭାର ଦେଇଥିଲେ । ସେତେବେଳେ ଓଏସ୍ଇବି.କୁ ଭାଙ୍ଗି ଦେଶର ପ୍ରଥମ ରାଜ୍ୟ ହିସାବରେ ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରିଥିଲେ । ରାଜ୍ୟବାସୀଙ୍କୁ କହିଥିଲେ ଏହା ଫଳରେ କଂପାନୀମାନେ ବିଦ୍ୟୁତ କ୍ଷେତ୍ରରେ ଆବଶ୍ୟକ ଅର୍ଥ ନିବେଶ କରି ଏହି ସଂସ୍ଥାକୁ ପୁନରୁଦ୍ଧାର କରିବେ । ଶେଷରେ ୧୯୯୯ରୁ ୨୦୧୫ ପର୍ୟ୍ୟନ୍ତ ଦୀର୍ଘ ୧୭ବର୍ଷ ଏହି କ୍ଷେତ୍ରକୁ ପରିଚାଳନା କରି କାଗଜ ପତ୍ରରେ ଖାଲି ଅତ୍ୟାଧିକ କ୍ଷତି ଦର୍ଶାଇ ହଜାର ହଜାର କୋଟି ଟଙ୍କା ଓଡିଶାରୁ ଲୁଟିନେଲେ । ସରକାର କ୍ୟାପେକ୍ସ ରେ ୧୪୬୪ କୋଟି ଖର୍ଚ୍ଚ ପାଇଁ ପ୍ଲାନ କଲେ ସେଥିରେ ସରକାର ୭୩୨ କୋଟି ଦେବେ ବୋଲି କହିଲେ ଅବଶିଷ୍ଟ ୭୩୨ କୋଟି କଂପାନୀମାନେ ଦେବେ ବୋଲି ନିଷ୍ପତ୍ତି ହେଲା । କିନ୍ତୁ କଂପାନୀମାନେ ଦେଲେ ନାହିଁ । ଏହାପରେ ସେତେବେଳେ ସରକାର ଏବଂ ୟୁନିୟନମାନଙ୍କ ନିବେଦନ ଓଇଆରସିଙ୍କ ପାଖରେ ପହଞ୍ଚିଲା ଯେ, ଘରୋଇ କଂପାନୀମାନେ ସବୁ ପ୍ରକାର ବିଫଳ ହୋଇଛନ୍ତି । ଶେଷରେ ଦୀର୍ଘ ଦିନରୁ ଚାଲିଆସିଥିବା ଅଭିଯୋଗକୁ ନେଇ ମାର୍ଚ୍ଚ ୨୦୧୫ ମସିହାରେ ସରକାର ଏବଂ ୟୁନିୟନଙ୍କ କଥାକୁ କମିଶନ ଗ୍ରହଣ କରି ଘରୋଇ କଂପାନୀଙ୍କର ଲାଇସେନ୍ସକୁ ପ୍ରତ୍ୟାହାରର କଲେ । ଏହା ପରେ ସରକାରଙ୍କର ୧୯୯୮ରେ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ନିଜେ ବୁଝିଥିଲେ । ତାହା ପରେ ୨୦୧୫ ମସିହାକୁ ଲାଇସେନ୍ସ ପ୍ରତ୍ୟାହାର ପରେ ସରକାରଙ୍କ ବା ଗ୍ରୀଡକୋ ଅଧୀନରେ ତିନୋଟି ସଂସ୍ଥା ଗଲେ । ୨୦୧୫ରୁ ସରକାର ବହୁତ ଅର୍ଥ ବିନିଯୋଗ କରି ସିଣ୍ଟମ ଉନ୍ନତିକରଣ କରି ଆଇଏଏସ୍ ମାନଙ୍କ ଦ୍ୱାରା ପରିଚାଳିତ କରି ଏଟିଏଣ୍ଡସି କ୍ଷତିକୁ ୨୦୧୩-୧୪ ରେ ୪୦% କ୍ଷତି ତୁଳନାରେ ୨୦୧୯ ସୁଦ୍ଧା ୱେସ୍କୋ ୩୯.୬୬% ରୁ ୩୧.୬୪%, ନେସ୍କୋ ୩୬.୪୫% ରୁ ୨୩.୫୩%, ସାଉଥକୋ ୪୫.୮୧% ରୁ ୩୮.୯୩% ରେ ପହଞ୍ଚାଇବା ସହିତ ସରକାରଙ୍କ କୋଟି କୋଟି ଟଙ୍କା ବଞ୍ଚାଯାଇ ପାରିଛି ଯାହାକି ଏକ ବଡ ସଫଳତା ତଥା ପାଞ୍ଚ ବର୍ଷ ଭିତରେ ସଂସ୍ଥାକୁ ଆର୍ଥିକ ଏବଂ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ଉନ୍ନତ ଅବସ୍ଥାକୁ ନେଉଥିବା ବେଳେ କାହିଁକି ପୁନଃ ଘରୋଇକରଣ କରାଯାଉଛି । ୨୦୧୫ ରେ ରିଲାଏନ୍ସ ଏନେର୍ଜିର ଲାଇସେନ୍ସ ରଦ୍ଦ ହେବା ପରେ ଜଣାପଡିଲା ଯେ କର୍ମଚାରୀଙ୍କ ୱେସ୍କୋ ପେନସନ ଟ୍ରଷ୍ଟ ରେ ପ୍ରାୟ ପାଖାପାଖି ୭୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କମ ଅଛି, ସେ ଗୁଡିକ କଂପାନୀ ଜମା ନ କରି ଚଳୁ କରିଛି । ଏହା ଦ୍ୱାରା କର୍ମଚାରୀମାନେ ଭବିଷ୍ୟତରେ ପେନସନ ପାଇବେକି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ସରକାର ସେ ଟଙ୍କା କାହିଁକି ରିଲାଏନ୍ସ ଠାରୁ ଆଜି ପର୍ୟ୍ୟନ୍ତ ଆଦାୟ କଲେ ନାହିଁ କି ଆଜି ପର୍ୟ୍ୟନ୍ତ ଡିପୋଜିଟ କଲେ ନାହିଁ । ଏହିଭଳି ଘରୋଇ କଂପାନିମାନେ କୋଟି କୋଟି ଟଙ୍କାର ହିସାବ ନ ଦେଇ ଟାଳଟୁଳ ନିତି ଅବଲମ୍ବନ କରି ବିଦ୍ୟୁତ ସେବାରେ କୌଣସି ଅର୍ଥ ବିନିଯୋଗ ନ କରି ମାଛ ତେଲରେ ମାଛ ଭାଜିଲା ପରି ୧୭ ବର୍ଷ ଉପଭୋକ୍ତ ତଥା ସରକାରଙ୍କୁ ଠକି କି ଯିବା ପରେ କାହିଁକି ସରକାର ଆଉ ଥରେ ଘରୋଇକରଣ କରୁଛନ୍ତି । ଏହାର ଜବାବ ଓଡିଶାର ସମସ୍ତ ବିଦ୍ୟୁତ କର୍ମଚାରୀ, ଇଂଜିନିୟର ଏବଂ ଉପଭୋକ୍ତମାନେ ମାଗୁଛନ୍ତି । ଏହା ଏକ ସମ୍ପୁର୍ଣ୍ଣ ଭୁଲ ତଥା ରାଜ୍ୟ ପାଇଁ କ୍ଷତିକାରକ ପଦକ୍ଷେପ । ଏଣୁ ସମସ୍ତ କର୍ମଚାରୀ, ଉପଭୋକ୍ତାମାନେ ଏହାର ଦୃଢ ନିନ୍ଦା ସହିତ ସରକାରଙ୍କୁ ତିନୋଟି ଡିଷ୍ଟ୍ରିବୁସନ ୟୁଟିଲିଟିର ଘରୋଇକରଣକୁ ବନ୍ଦ କରିବାକୁ ମଂଚ ଦାବି କରିଛି । ତଥାପି ଯଦିି ସରକାର ୱେସ୍କୋ ଘରୋଇକରଣକୁ ବନ୍ଦ ନ କରନ୍ତି ପଶ୍ଚିମ ଓଡିଶାରେ ଆସନ୍ତା ୧୬ ତାରିଖରୁ ବ୍ୟାପକ ଆନ୍ଦୋଳନ ହେବ ଏବଂ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ମଂଚ ଚେତାବନୀ ଦେଇଛି । ଏହି ସାଂବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ର ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ଏନ୍ଓବିଏସ୍ଏମ୍ ର ବିଭୁତି ଶଙ୍କର ବିନ୍ଧାଣି, ଜ୍ୟୋତି ରଞ୍ଜନ ମହାନ୍ତି, ଡବ୍ଲୁଏସ୍ଏ ର ଇଂ. କମଲେସ ପଧାନ, ଇଂ ସଞ୍ଜିବ ପାଢି, ଓଇଇଏ ର ଇଂ.ଲିଙ୍ଗରାଜ ପଣ୍ଡା, ଇଂ. ଶଶିକାନ୍ତ ବାରିକ, ଡବ୍ଲୁଏସ୍ଏ ର ନିଳାଚଳ ତ୍ରିପାଠି, କୈଳାସ ସ୍ୱାଇଁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
Prev Post