୮ବର୍ଷ ହେଲା ବନ୍ଦ ଅଛି ଦେଓଗାଁ ଚିନିକଳ : ଅଞ୍ଚଳରେ ବଢୁଛି ବେକରୀଙ୍କ ସଂଖ୍ୟା

ଦେଓଗାଁ, (କିଶୋର କୁମାର ସାହୁ) : ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ନିଯୁକ୍ତିର କୌଣସି ସୁଯୋଗ ନାହିଁ । ଏପରିକି କରୋନା ଯୋଗୁଁ ସରକାର ପକ୍ଷରୁ ୨ବର୍ଷ ପର୍ୟ୍ୟନ୍ତ କୌଣସି ନିଯୁକ୍ତି ମଧ୍ୟ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । କେବିକେ ଅଂଚଳର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ଆର୍ଥିକ ଅନଟନ ଦେଇ ଗତି କରୁଥିବା ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳ ଋଣ ଭାରରେ ବୁଡି ରହିବା ଯୋଗୁଁ ଦୀର୍ଘ ୮ବର୍ଷ ହେଲା ବନ୍ଦ ହୋଇପଡ଼ିଛି । ସେହି ସମୟରେ ଏହି ଶିଳ୍ପାନୁଷ୍ଠାନରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୧୦ହଜାର ଲୋକ ବିଭିନ୍ନ ପ୍ରକାରର ଉପକୃତ ହେଉଥିଲେ । ଏବେ ଏହା ବନ୍ଦ ପଡି ଥିବାରୁ ଅଞ୍ଚଳରେ ବେକାରୀ ଲୋକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗୁଛି । ଏହି ଚିନିକଳକୁ ଚଳାଇବାକୁ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ଆନ୍ଦୋଳନ ହୋଇଛି । ବଲାଙ୍ଗୀରକୁ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ହୋଇଥିଲେ ମଧ୍ୟ କେବେ ବି ଏଥିପ୍ରତି ଧ୍ୟାନ ଦେଇନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ବନ୍ଦ ଚିନିକଳକୁ ଚାଲୁ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଦେଓଗାଁ ବ୍ଲକର ବହୁ ଯୁବକ, ଲୋକେ ରାଜ୍ୟ ବାହାରକୁ ଯାଇଥାନ୍ତି ଦାଦନ ଖଟିବାକୁ । ହେଲେ ଏବେ କରୋନା ପାଇଁ ରାଜ୍ୟ ବାହାରରୁ ଫେରି ଆସିଥିବାରୁ ଅଞ୍ଚଳରେ ବେକାରୀ ସମସ୍ୟା ସୃଷ୍ଟି ହେଉଛି । ସେମାନେ ନିଜର ଦୈନନ୍ଦିନ ଆର୍ଥିକ ଆବଶ୍ୟକତା ପୁରଣ କରିବାକୁ ବିପଥଗାମୀ ହେବା ସହ ଅପରାଧ ମୁହାଁ ହେବାର ଆଶଙ୍କା ଦେଖିବାକୁ ମିଳୁଛି । ଅଞ୍ଚଳରେ ରନ୍ଧା ମଦ କୁଟୀର ଶିଳ୍ପ ଭାବେ ମାନ୍ୟତା ପାଇ ସାରିଥିବା ବେଳେ କମ୍ ପଇସାରେ ଅଧିକ ମିଳିବା ନେଇ ଆଶା ରଖି ସଟ୍ଟା ଖେଳ ପ୍ରତି ଯୁବ ପିଢିଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି ।
ବେକାରୀ। ଅପାଠୁଆ ବେକାରୀ ହେଉ କି ପ୍ରଥମ, ପଞ୍ଚମ, ମ୍ୟାଟ୍ରିକ ସହ କଲେଜ ପଢୁଆ ବେକାରୀ, ସବୁ ଶ୍ରେଣୀର ବେକାରୀ ଯୁବକ, ଯୁବତୀ ଭର୍ତି ଦେଓଗାଁ ଅଞ୍ଚଳରେ । ଦେଓଗାଁ ବ୍ଲକରେ ମାତ୍ର ୩ଟି ଯୁକ୍ତ ଦୁଇ କଲେଜ ଓ ୨ ଟି ଯୁକ୍ତ ତିନି ଡିଗ୍ରୀ କଲେଜ ରହିଛି । ଗୁରୁତର କଥା ଏହା ଯେ, ଏହି ସମସ୍ତ କଲେଜଗୁଡିକ ଦେଓଗାଁ ସଦର ଓ ତାର ନିକଟସ୍ଥ ଗାଁରେ ରହିଛି । ଯାହାଫଳରେ ଦୂର ଦୂରାନ୍ତର ଥିବା ଗାଁଗୁଡ଼ିକର କୃଷିଭିତ୍ତିକ ଅଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ର, ଛାତ୍ରୀ ସମ୍ବଳ ଅଭାବ ଯୋଗୁଁ ଅଧାରୁ ହିଁ ପାଠପଢ଼ା ଛାଡ଼ି ଦେବାକୁ ବାଧ୍ୟ ହେଉଛନ୍ତି । କିଛି ଲୋକ ପଇସା ଖର୍ଚ୍ଚ କରି ନିଜ ପୁଅ, ଝିଅଙ୍କୁ ବାହାରେ ରଖି ପାଠ ପଢ଼ାଉଛନ୍ତି। ସେମାନେ ଉଚ୍ଚ ଶିକ୍ଷା ସମାପ୍ତ କରିବା ପରେ ନିଯୁକ୍ତିର ବିଶେଷ ସୁଯୋଗ ମଧ୍ୟ ନାହିଁ । ଯାହାଫଳରେ ଅଞ୍ଚଳର ଶିକ୍ଷିତ ଯୁବଗୋଷ୍ଠୀ ଏକ ଅନିଶ୍ଚିତ ଭବିଷ୍ୟତ ନେଇ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଶେଷରେ ଅପରାଧ, ଅସାଧାରଣ କାମ କରି ପଇସା ରୋଜଗାର କରିବାକୁ ପଛାଇବେ ନାହିଁ ବୋଲି ଶିକ୍ଷିତ ମହଲରେ ପ୍ରକାଶ ପାଉଛି ।

Leave A Reply

Your email address will not be published.