jayashree

କବିତା : ଶବ୍ଦମାନେ

  • ପ୍ରଦୀପ କୁମାର ପଣ୍ଡା

ଆମେ ତାଙ୍କୁ ଦୃଶ୍ୟ କରିବାର
କେତେ କେତେ କୌଶଳ ଉଦ୍ଭାବନ କରିଛୁ,
ଯଦିଓ ସେମାନେ ବସ୍ତୁ ନୁହନ୍ତି ।

ସେମାନେ ନିଆଁ ନୁହନ୍ତି
ସେମାନେ କାକର ନୁହନ୍ତି
ସେମାନେ ସ୍ଵର ବି ନୁହନ୍ତି,
ଅତୀତରେ ଘଟି ଯାଇଥିବା ଘଟଣା ବା
ଘଟଣା ହେବାରୁ ଦୈବାତ ବଂଚିତ ହୋଇଥିବା
ଆମର ଭାବନା ନୁହନ୍ତି ସେମାନେ ।

ସେମାନଙ୍କୁ ଆକୃତି ଦେବାର ସବୁ ଫନ୍ଦିବାଜି
ରଚିଛୁ ଆମେ,
ଯଦିଓ ଆକୃତି ବାହାରେ ଆଉ ଏକ ବିଶ୍ଵ ଥାଏ ତାଙ୍କର
ଆମର ପହଞ୍ଚକୁ ଦୂର ।

ଆମର କଟା ଘା’ର ଜ୍ଵଳନ ସେମାନେ
ପ୍ରସବ ପୂର୍ବର ବେଦନା,
କବିତାରେ ବ୍ୟବହାର ହେବାକୁ ଥିବା ଆମର ଅକ୍ଷମତା,
ବସତି ବାନ୍ଧି ନଥିବା ଏକ ଗାଆଁ,
ତୁଳାଦଣ୍ଡରେ ଓଜନ ହେବାକୁ ଅନୁପସ୍ଥିତ ସମୟ,
ଏକ କ୍ରୂର ନିରୀହତା,
ଏକ ସଂଗ୍ରହାଳୟର ନିରୁଦ୍ଦିଷ୍ଟ ନକ୍ସା,
ଅଳ୍ପ ଆଲୁଅରେ, ଅଳ୍ପ ଅନ୍ଧାରରେ
ବୁଣା ହୋଇଥିବା ଏକ ଜାଲ, ସେମାନେ ।

ପାଗଳୀ ହୋଇ ଯାଇଥିବା ଜଣେ ପ୍ରେମିକାର କାନ୍ଦ,
ଷ୍ଟ୍ରେଚରରେ ବୁହା ହୋଇ
ପଞ୍ଚମ ମହଲା ମେଡ଼ିସିନ୍ ଓ୍ଵାର୍ଡକୁ ଯାଉଥିବା
ଜଣେ ପ୍ରୌଢ଼ର ଶବ,
ମାଟି ତଳେ ପୋତି ହୋଇଥିବା
ଗଲା ବିଶ୍ବଯୁଦ୍ଧର ଗୋଟିଏ ଅଫୁଟା ବୋମା, ସେମାନେ ।

ତରବାରି ବିହିନ ଖୋଳଟେ ଲେଖାଁ ଧରି
ପଦାର୍ପଣ କରୁ ଆମେ ଯୁଦ୍ଧ କ୍ଷେତ୍ରରେ,
ଆମର ରକ୍ତ ସେମାନେ, ଶବ୍ଦମାନେ । ।

Leave A Reply

Your email address will not be published.