oom

ଆଇପିଏଲ୍‌ : ଦିଲ୍ଲୀକୁ ୫୯ ରନ୍‌ରେ ହରାଇଲା କୋଲକାତା

jsmm

ଆବୁଧାବି : କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ପରାସ୍ତ କରିଛି । ଟସ୍‌ ଜିଣି ଦିଲ୍ଲୀ ଟିମ୍‌ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଇଅନ୍‌ ମୋର୍ଗାନଙ୍କ ନେତୃତ୍ୱରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୪ ରନ୍‌ ସଂଗ୍ରହ କରିିଥିଲା। କୋଲକାତାର ଇନିଂସ ଆରମ୍ଭ କରିଥିଲେ ଓପନର ଶୁଭମନ୍‌ ଗିଲ (୯ ରନ୍‌) ଓ ନିତୀଶ ରାଣା। ମାତ୍ର ୧୧ ରନ୍‌ରେ କୋଲକାତା ଶୁଭମନ୍‌ ଗିଲଙ୍କୁ ନୋର୍‌ଟଜେଙ୍କ ଦ୍ୱାରା ଆଉଟ ହୋଇଯିବା ପରେ ରାହୁଲ ତ୍ରିପାଠୀ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ରାହୁଲ ମଧ୍ୟ ଅଧିକ ସମୟ ପର୍ୟ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ସେ ୧୨ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ଟିମ୍‌ ପାଇଁ ୧୩ ରନ୍‌ ଯୋଡ଼ିଥିଲେ। ରାହୁଲ ଆଉଟ ହେବା ପୂର୍ବରୁ କୋଲକାତାର ସ୍କୋର ୩୫ ରନ୍‌ ଥିଲା। କୋଲକାତା ୩ୟ ଓ୍ଵିକେଟ୍‌ରେ ମାତ୍ର ୭ ରନ୍‌ କରିଥିଲା। ଦିଲ୍ଲୀର ବୋଲର କାଗିସୋ ରାବାଡ଼ାଙ୍କ ଦ୍ୱାରା ଦିନେଶ କାର୍ତ୍ତିକ (୩ରନ୍‌) ଆଉଟ୍‌ ହୋଇଥିଲେ। କୋଲକାତା ୪ର୍ଥ ଓ୍ଵିକେଟରେ ୧୦୫ ରନ୍‌ କରିଥିଲା। ନିତୀଶ ରାଣା (୮୧ ରନ୍‌, ୫୩ ବଲ, ୧୩ ଚୌକା, ଗୋଟିଏ ଛକା) ଓ ସୁନୀଲ ନରିନ୍‌ (୬୪ ରନ୍‌, ୩୨ ବଲ, ୬ ଚୌକା, ୪ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ। ରାବଡ଼ାଙ୍କ ହାତରେ ସୁନୀଲ ଆଉଟ ହୋଇଯିବା ପରେ ଅଧିନାୟକ ଇଅନ୍‌ ମୋର୍ଗାନ (୧୭ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। ସେ ରାଣାଙ୍କ ସହିତ ୩୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। କୋଲକାତା ନିଜ ଇନିଂସର ଶେଷ ୨ ବଲରେ ରାଣା ଓ ମୋର୍ଗାନ୍‌ଙ୍କୁ ହରାଇଥିଲା।

ଦ୍ଵିତୀୟ ପାଳିରେ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୪୭ ରନ୍‌ କରିଥିଲେ। ଏହି ରନ୍‌ ସଂଗ୍ରହ କରିବା ପାଇଁ ସେ ୩୮ଟି ବଲର ସମ୍ମୁଖୀନ ହୋଇ ୫ଟି ଚୌକା ମଧ୍ୟ ମାରିଥିଲେ। ଋଷଭ ପନ୍ତ ୩୩ଟି ବଲ୍‌ ଖେଳି ୨୭ ରନ୍‌ ଯୋଡ଼ିଥିଲେ। ପନ୍ତଙ୍କ ବ୍ୟାଟରୁ ୨ଟି ଚୌକା ଓ ଗୋଟିଏ ଛକା ମିଳିଥିଲା। ରବିଚନ୍ଦ୍ରନ ଅଶ୍ୱିନ ୧୩ଟି ବଲ ଖେଳି ୧୪ ରନ୍‌ କରିଥିଲେ। ସେହିପରି ସିମରନ୍‌ ହେଟ୍‌ମେୟର ୧୦ ରନ୍‌, ଅକ୍ଷର ପଟେଲ ଓ କାଗିସୋ ରାବଡ଼ା ୯ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଏତଦ୍‌ ବ୍ୟତୀତ ଦଳର ଅନ୍ୟ ଖେଳାଳିମାନେ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲେ। କୋଲକାତାର ବୋଲର ବରୁଣ ଚକ୍ରବର୍ତ୍ତୀଙ୍କୁ ୫ଟି ଓ୍ଵିକେଟ୍‌ ମିଳିଥିବା ବେଳେ ପେଟ୍‌ କମିନ୍‌ସ ୩ଟି ଓ୍ଵିକେଟ୍‌ ନେଇଥିଲେ। ଲକି ଫରଗୁସନ୍‌ଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୩୫ ରନ୍‌ କରି ପରାଜୟ ବରଣ କରିଛି।

jittmm
Leave A Reply

Your email address will not be published.