ଗୋଟାଏ ଅବାସ୍ତବ ପ୍ରେମ କାହାଣୀ

  • ବବିତା ମହାପାତ୍ର

କେଜାଣି କେତେଦିନ ହବ ଏମିତି ଚାଲିଛି । ଅନିର୍ବାଣ ଚୁପଚାପ ମୋବାଇଲରେ ବ୍ୟସ୍ତ । ଖୁବ୍‌ ଗୋଟେ ଧ୍ୟାନ ଦେଇ କିଛି କରୁଥାନ୍ତି । ନିୟତି ଦେଖେ କିନ୍ତୁ କିଛି କୁହେନି । କୁହେନି ନୁହେଁ ବରଂ କହି ପାରେନି । ଇତସ୍ତତଃ ଅନିର୍ବାଣଙ୍କୁ ନିଘା କରେ ନିୟତି । କାରଣ ପୁରୁଷଟିଏ ସଦାବେଳେ ଜଣେ ସ୍ନେହାଶିଳା ନାରୀର ନିଘାରେ ହିଁ ସୁରକ୍ଷିତ ରହେ । କାହିଁକି ଏ ବ୍ୟସ୍ତତା ?? ଚେଷ୍ଟା କରେ କଥା ହେବାକୁ ଅଥଚ ଗୋଟାଏ ଅହେତୁକ ଭୟରେ ଚୁପ୍‌ ରହେ ।

ତିନିବର୍ଷର ଅରୁପ ଅଝଟ ହୁଏ, ବାପର ଆଦର ଖୋଜେ । ଅନିର୍ବାଣ କିନ୍ତୁ ଚୁପ୍‌ ! ଏଇ ଅରୁପକୁ ନେଇ କେତେ ଗାଳି ଶୁଣିଚି ନିୟତି । ପ୍ରତିଦିନ ଭିଜା ନାପ୍‌କିନକୁ ନେଇ ଭାରି ବିରକ୍ତ ହୁଅନ୍ତି ଅନିର୍ବାଣ । ଅଫିସ କାମ ଛାଡି ନିଜେ ବଦଳେଇ ଦିଅନ୍ତି । ଏବେ କିନ୍ତୁ ପାଖକୁ ଗଲେ ତାକୁ ନେଇଯିବାକୁ କୁହନ୍ତି ଅନିର୍ବାଣ । ଦୂର ଦୂର କରନ୍ତି। ନିଜ କଥା ଯାହାହେଉ, କିନ୍ତୁ ଅରୁପ ପ୍ରତି ବ୍ୟବହାର ଦେଖି ଖୁବ କଷ୍ଟ ପାଏ ସେ ।

ଆଜି ରବିବାର । ମନେ ନାହିଁ ନିୟତିର, ଏମିତି ୟା’ ଭିତରେ କେତେ ରବିବାର ସେ ଅନିର୍ବାଣଙ୍କ ସହ ଏକାଠି ଖାଇନି । ପାଖରେ ଥିଲେ ବି ମାଇଲ ମାଇଲର ଦୂରତ୍ୱ । ଆଜି ବି ଖାଇଦେଇ ଉଠିଗଲେ ସେ । ଆଖିଏ ଲୁହ ନେଇ ଅରୁପକୁ ଖୁଆଇ ଦେଇ ନିଜେ ଖାଇ ସାରି ଆସି ଖଟ ଉପରେ ଗଡ଼ି ପଡିଲା ନିୟତି । ପୁଅକୁ ଶୁଆଇ ଦେଉ ଦେଉ ଆଖି ଲାଗି ଯାଇଥିଲା । ଅଚାନକ ଡୋର ବେଲ୍‌ର ଶବ୍ଦରେ ଆଖି ଖୋଲି ଉଠି ବସିଲା । ଯାଇ କବାଟ ଖୋଲି ଦେଖିଲା ହୁଇଲ ଚେୟାରରେ ବସିଥିବା ଜଣେ ମହିଳା ଓ ସାଙ୍ଗରେ ଆସିଥିବା ଜଣେ ପୁରୁଷ । କିଏ ଏମାନେ ?? ଆଗରୁ ତ କେବେ ଦେଖିବା ଭଳି ବି ମନେ ପଡ଼ିଲାନି ।

ସ୍ତ୍ରୀଲୋକ ଜଣକ ଅନିର୍ବାଣଙ୍କୁ ଖୋଜିଲେ । ଚୁପଚାପ ଭିତରକୁ ଯାଇ ଡାକି ଆଣିଲା ନିୟତି । ଏଥର ଆଶ୍ଚର୍ୟ୍ୟ ହେବାର ପାଳି ଅନିର୍ବାଣଙ୍କର । “ତମେ….?” ବୋଲି
ପ୍ରଶ୍ନ କରି ନିୟତିର ମୁହଁକୁ ସାଦା କାଗଜଟିଏ ପରି ଅନେଇଲେ । ନିୟତିର ବୁଝିବା ବାହାରେ ସବୁକିଛି । “ହଁ ..ତୁମେ ବାରମ୍ବାର କଥା ଦେଇ ବି ଦେଖା କରିବାକୁ ଆସିଲନି ତ, କଣ ଆଉ କରିଥାନ୍ତି ମୁଁ ?? ” ଚୁପ ରହିଲେ ଅନିର୍ବାଣ । “କଣ ହେଲା କିଛି କହୁନ ଯେ ?” ପଚାରିଲେ ମହିଳା ଜଣକ । ନିୟତି ଗୋଟାଏ ବାଦଲ ଘୋଡେଇ ଥିବା ଆକାଶ ଭଳି ମୁହଁଟିକୁ କରି ଦୁଇ ଆଖିରେ ଅନିର୍ବାଣଙ୍କୁ ଓ ମହିଳା ଜଣଙ୍କ ଚାହୁଁଥାଏ ।

ସ୍ତ୍ରୀଲୋକ ଜଣକ ନିୟତି ଆଡେ ଆଙ୍ଗୁଳି ଦେଖେଇ କିଏ ବୋଲି ଜାଣିବାକୁ ଚାହିଁଲେ ତ ଅନିର୍ବାଣ “ଏ ନିୟତି ….ମୋ ସ୍ତ୍ରୀ ” ବୋଲି ଖୁବ କୁଣ୍ଠିତ ହେଇ କହିଲେ । କ୍ଷଣଟିଏ ଚୁପ ରହିଲେ ମହିଳା ଆଉ ତା’ପରେ ନିୟତି ପାଖକୁ ହୁଇଲ ଚେୟାରଟି ଗଡେଇ ନେଇ ତା’ହାତକୁ ଜୋର ମୁଠେଇ ଧରି “ମତେ କ୍ଷମା କରିଦେବେ, ମୁଁ ଭୁଲ ଠିକଣାରେ ଆସିଯାଇଥିଲି” ବୋଲି କହି ସାଥୀରେ ଆସିଥିବା ବ୍ୟକ୍ତି ଜଣଙ୍କୁ “ଚାଲ ଯିବା” କହିବା ସହ ହୁଇଲ ଚେୟାର ବୁଲେଇ ଧୀରେ ଧୀରେ ଗେଟ୍‌ ବାହାରକୁ ବାହାରି ଗଲେ । ନିୟତି କିନ୍ତୁ ଲୁହର ବାସ୍ନାକୁ ବାରି ନେଇଥିଲା ।

ଅନିର୍ବାଣଙ୍କୁ ଦାଣ୍ଡରେ ଏକା ଛାଡି ଅରୁପ ପାଖରେ ଯାଇ ବସିଥିଲା । ନାଁ, କାନ୍ଦୁନଥିଲା ସିଏ । କେତେବେଳେ ଅରୁପ ଉଠି ଅନିର୍ବାଣଙ୍କ ପାଖକୁ ଚାଲି ଯାଇଥିଲା । ଦୁଇ ତିନି ଘଣ୍ଟାରେ ସେ କେମିତି ଏତେ ବୟସ୍କ ହେଇଗଲା ବୁଝି ପାରୁନଥିଲା । ଆଶ୍ଚର୍ୟ୍ୟ ହେଉଥିଲା ଯେ କେଉଁଠି ଖିଲାପ ରହିଲା ତାର ? ସବୁବେଳେ ନାରୀଟିଏ ହିଁ କାହିଁକି ପୁରୁଷ ତିଆରି ଜଞ୍ଜାଳ ସହ ବଞ୍ଚୁଥିବା ବେଳେ ପୁରୁଷ ଟିଏ ଜୀବନକୁ ନିଜ ବାଗରେ ଜିଉଁଥାଏ ?? ସ୍ତ୍ରୀଟିଏ ହିଁ କ୍ଷମା କରେ କାହିଁକି ? କାହିଁକି ପୁରୁଷଟିଏ ବାଡ଼ ଭାଙ୍ଗି ଡେଇଁ ଯାଏ ସଦାବେଳେ ??

ଅନିର୍ବାଣ ଧ୍ୱସ୍ତ ବିଧ୍ୱସ୍ତ ପୃଥିବୀର ଶେଷତମ ପୁରୁଷଟିଏ ଭଳି ଛିଡା ହେଇଥିଲେ ନିୟତି ପାଖରେ । ଆଉ ନିୟତି …??? ବର୍ଷାଧୁଆ ପୃଥିବୀର ସବୁଜିମା ଭଳି ଖୁବ ସତେଜ ଭାବ ନେଇ ଉଠି ହେଇଥିଲା ଚୁପଚାପ ।।

Leave A Reply

Your email address will not be published.

thirteen − twelve =