କବିତା : ସ୍ୱପ୍ନ

ପ୍ରୀଦପ କୁମାର ପଣ୍ଡା

ପାହାଡ଼ଟି ଧସିପଡେ ଏମିତି
ଯେତେଥର ମୁଁ ଶୁଣିବାକୁ ଇଚ୍ଛା କରେ
ତା’ର ଅବ୍ୟୟ ସ୍ୱର ।
ଜଂଗଲଟି ପୋଡିଯାଏ ଧାଏଁ ଧାଏଁ
ମୁଁ ଶାଗୁଆ ହେବାକୁ ଚାହେଁ ଯେତେଥର ।
ଏମିତି ଘଟେ ବାରଂବାର ମୋ ଜୀବନରେ,
ଶୋକସଭାର ଭରା ନୀରବତାରେ
ମୋର ଆସେ ଏକ
ଲଂବା ସଶବ୍ଦ ତୃପ୍ତ ଏଉଡି
ଓ ଭଂଡୁର ହୋଇଯାଏ ନୀରବ ପ୍ରାର୍ଥନା ।
ମଣିଷମାନଂକର ମରିବା ବି ଏକ ଫାରସ୍
ଯେମିତି ପ୍ରେମ କରିବା ଓ
ଏକ ସଫଳ ମୈଥୁନ ପରେ
ରେଡିଓରୁ ଅବୁଝା ଭାଷାର
କରୁଣ ସଂଗୀତ ଶୁଣିବା ।

ମୁଁ ତଥାପି ଶାଗୁଆ ହେବାକୁ ଚେଷ୍ଟା କରେ
କଂଚା ଶାଗୁଆ,
ଯେମିତି ଏକ ଆଠ ବର୍ଷର ବାଳକ,
ଯା’ର ଛାତିରେ ଛାତିଏ ଜଂଗଲ
ଓ କାଣି ଆଂଗୁଠିରେ ପ୍ରକାଂଡ ପାହାଡ଼ ।

ସମ୍ବଲପୁର, ମୋ. ନଂ. ୯୪୩୭୧୪୮୭୦୯

Leave A Reply

Your email address will not be published.