କବିତା : ଘର

  • ପ୍ରବାସିନୀ ହୋତା

ଅଛି ଚାରୋଟି କାନ୍ଥ ଏଇଠି
ଅଛି ବି ଛାତଟିଏ
ଖରା ବାଜୁନି
ଧସେଇ ଆସୁନି ଶୀତ
କାଲି ସନ୍ଧ୍ୟାରେ ପଡୁଥିଲା ବୋଧେ କିଛି ବର୍ଷା ବୁନ୍ଦା
ଜଣେଇ ଦେଇଥିଲା ଆଜବେଷ୍ଟସ୍ ଛାତ
ତହିଁରୁ ବି ସେ ମୋତେ ରଖିଛି ଆବୋରି
ତଥାପି କାହିଁକି ଲାଗୁନି
ଏ ଘର ମୋ ଘର ପରି ମୋତେ ?

ଏ କାହିଁକିର ଉତ୍ତର ଦେବ ଆଉ କିଏ !
କିଛି ଉଷୁମ୍‌ପଣର ଅପେକ୍ଷାରେ ଏବେ
ବାଉଳା ମୋ ନିର୍ବାକ ଅନୁଭବ
ପଚାରି ଦିଅନ୍ତା କି ମୋତେ ଏଇ ଘର
“କେମିତି ଲାଗୁଛି ଏବେ ?
ଚିନ୍ତା ନାହିଁ, ମୁଁ ଅଛି ତମ ସାଥେ”
କେବଳ ଏଇ ଦି’ ପଦ କଥାରେ
ଏ ଘର ହୋଇଯାଆନ୍ତା ନି ଅନ୍ତରଂଗ ମୋର ?

ଜାଣିଛି
କାହାରି ପଚାରିବା ନ ପଚାରିବାରେ
କମ୍ ହୋଇଯାଏନି ଯନ୍ତ୍ରଣା କିଛି
ଲମ୍ବିଯାଏନି ଆୟୁଷ
ତଥାପି ତ ଖୋଜେ ମନ
ପଦେ ସ୍ନେହବୋଳା କଥା,
ଟିକେ ମମତାର ସ୍ପର୍ଶ
କେଜାଣି କେଉଁଥିପାଇଁ ?
କ’ଣ ମିଳେ ସେଥିରୁ ବୋଲି
ଯାହା ବୁଝେଇଲେ ବି ମନ ମାନେ ନାହିଁ ।

ବରଂ ଯୁକ୍ତି ଆସେ-
ତୁଚ୍ଛାକୁ ତ କେହି କେବେ କହିନାହିଁ
ବିପଦ ହିଁ କଷଟି ପଥର
ଥିରି କରି ତଉଲିନିଏ
କିଏ କେତେ ନିଜଲୋକ, କିଏ କେତେ ପର ।

ତମେ ମତେ ଯାହା କୁହ
ସ୍ୱାର୍ଥପର ଅବା ଅଭିମାନୀ
ଏତିକିରେ ହିଁ ତଉଲି ବସେ
ସମ୍ପର୍କର ସାନ୍ଦ୍ରତା ଆଉ ଛଳଛଳପଣ
ଶୋଷ ଥିବା ମୁହୂର୍ତ୍ତରେ ସିନା
ବୁନ୍ଦେ ଜଳ ହିଁ ଜୀବନ
ନଚେତ୍ ଖୋଲା ନଳରେ ବି
ଅଲୋଡ଼ା ନଈ ପରି
ବହିଯାଏ କାହିଁ କେତେ ପାଣି ।

କେବେ ଦିନେ କହିଥିଲି
ଲୋଡାପଣ ହିଁ ତ ପ୍ରେମ
ଅଲୋଡ଼ା ନଈ ପରି ହୁଏତ
କେଉଁଠି ଥାଏ ବି ଜୀବନ
ଏ ମନ କିନ୍ତୁ ଜିଦ୍‌ଖୋର ଭାରି
କୁହେ- ଲୋଡ଼ାପଣ ନାହିଁ ତ ମୁଁ ନାହିଁ ସେଇଠି
ସମ୍ପର୍କର ତାର ବାଡ଼ ଭିତରେ ;
ତା ବାହାରେ ମୁଁ ଏକ ମୁକ୍ତ ବିହଙ୍ଗମ ।

ଘର !
ତୁ ତୋ ବାଟରେ ଥା
ନିଷ୍ପ୍ରାଣ ଘରଟିଏ ହୋଇ
ମୋ ଘର ହେବାକୁ ଲୋଡ଼ା ଯେଉଁ
ସ୍ପନ୍ଦନଟେ ଆବେଗର ,
ସେ ତ ତୋ ପାଖରେ ନାହିଁ ।।

Leave A Reply

Your email address will not be published.

9 − six =