om academy

ଗଳ୍ପ : ଭବିଷ୍ୟତ

ସୁକାନ୍ତ ସାହୁ

ମା’ ଘରେ ପହଁଚିଲା ପରେ ଦାଣ୍ଡରୁ ଦୌଡ଼ିଦୌଡ଼ି ଆସି ବେଡ଼୍ ରୁମ୍‌ରେ ଶୋଇପଡ଼ିଲା ସୁଇଟି । ମା’ ଘର ଭିତରେ ପହଁଚିଲା ପରେ ହସିହସି ବାପା କହିଲେ : ଆରେ ମତେ ଫୋନ୍ କଲନି କାହିଁକି ? କୋଉ ଗାଡ଼ିରେ ଆସିଲ କି ଏତେ ଜଲ୍‌ଦି ପହଁଚିଗଲ?

: ହଁ, ଚକାଡ଼ୋଳା ବସ୍‌ରେ ଆସିଲି । ଏଇ ପାଖ ଷ୍ଟପେଜ୍‌ରେ ଗାଡ଼ିରୁ ଓହ୍ଲେଇଲି । ଭାବିଲି ସୁଇଟି ପାଇଁ ଟିକେ ଚିପ୍‌ସ କିଣିନେବି । ସେଇଥିପାଇଁ ତମକୁ ଫୋନ୍ କଲିନି । ହେଲେ ସୁଇଟି କାହିଁ? ସୁଇଟି! ସୁଇଟି! ମା’ ଡାକ ପକେଇଲେ ।

ବେଡ଼୍‌ରୁମ୍‌ରେ ଥାଇ ସୁଇଟି ସବୁ ଶୁଣୁଥିଲା । ମା’କୁ ଦେଖିବାକୁ ତା’ର ଭାରି ଲୋଭ, ହେଲେ ରାଗରେ ସେ ବାହାରକୁ ଆସିପାରୁନି ।

: ସୁଇଟି! ସୁଇଟି! ମା’ ପାଟି କଲେ ।
: ଆରେ ପାଟି କାହିଁକି କରୁଛ ? ସେ ପା’ ବାହାରେ ଖେଳୁଥିଲା । ବାପା କହିଲେ ।
ଖେଳୁଥିଲି ନା ଚୋପା । ପାପା ଗୋଟେ ନିହାତି ମିଛୁଆ । ମୁଁ ତ ମାଆର ବାଟକୁ ଚାହିଁ ରହିଥିଲି । ସୁଇଟି ଭାବିଲା ।

ମା’ ଏଣେତେଣ ଖୋଜିଖୋଜି ବେଡ଼୍‌ରୁମ୍ ବେଡ଼୍ ଉପରୁ ସୁଇଟିକୁ ପାଇଗଲେ । ପାଖରେ ପାଇ ମା’ ତାକୁ କୋଳକୁ ଟେକିନେଲେ । ମାଆର ଛାତି ଆଉ ବାହୁର ଉଷୁମ ସୁଇଟିର ଥଣ୍ଡା ଦେହକୁ ଗରମ କରିଦେଲା । ସେ ମା’କୁ ପାଖରେ ପାଇ ସକେଇସକେଇ କାନ୍ଦି ଉଠିଲା । ମା’ର ବେକକୁ ଚାପି ଧରି ଜୋର୍‌ରେ ବୋବାଳି ଛାଡ଼ିଲା ।

: ଆରେ ତୁ ଏମିତି କାନ୍ଦୁଛୁ କାହିଁକି ? ମା’ କହିଲେ । ମୁଁ ତ ଜମା ଦୁଇଦିନ ପାଇଁ ଅଫିସ୍ କାମରେ ଭୁବନେଶ୍ୱର ଯାଇଥିଲି । ତୁ ଏମିତି କାନ୍ଦିଲେ ହେବ । ତୁ ପା’ ବଡ଼ ହେଲୁଣି?
ବଡ଼ ନା ଆଉ କ’ଣ! ସୁଇଟି ଭାବିଲା । ସ୍ୱର ଲମ୍ବେଇ ଜୋର୍‌ରେ କାନ୍ଦିଲା ।
: ମା’ଟା ପରା ଜମା କାନ୍ଦନା । ମୁଁ ତୋ ପାଇଁ କ’ଣ ସବୁ ଆଣିଛି ଦେଖିଲୁ । ନେ ନେ .. ଏଇ ଚିପ୍ସ ନେ । ଦେଖ ତୋ’ ପସନ୍ଦର ଏସବୁ ନା । ମା’ କହିଲେ ।
ଚିପ୍ସକୁ ହାତରେ ଧରି ପକେଇଲା ସୁଇଟି । କାନ୍ଦ ଟିକେ କମିଲା । ହେଲେ ମାଆ ଠୁଁ ମୁକୁଳିବାକୁ ସେ ଚାହିଁଲାନି । ମାଆର ବାସ୍ନା ତାକୁ ଭାରି ଭଲ ଲାଗୁଥାଏ । ମା’ର କାନ୍ଧ ଆଉ ବେକ ସନ୍ଧିରେ ନାକ ଗେଂଜ ସେ ମାଆକୁ ଶୁଙ୍ଘି ଚାଲିଥାଏ । କେତେ ଭଲ ଲାଗୁଥାଏ ତାକୁ ।

ମା’ ସୁଇଟିକୁ ସୋଫା ଉପରେ ବସେଇ ଦେଇ ତା’ ପାଖରେ ବସି ପଡ଼ିଲା । ମା’ ସାମ୍ନାରେ ବାପା ଆସି ବସିପଡ଼ିଲେ ।

: ସତରେ ଲୁମି ତମେ ନ ଥିଲେ ଘରଟା ପୁରା ଅନ୍ଧାର । ବାପା କହିଲେ ।
ସୁଇଟି କହିଲା- ମିଛ! ସୁଦ୍ଦୁ ମିଛ । ଘରେ ଲାଇଟ୍ ଜଳୁଥିଲା ମମି ।
ମା’ ହସଦେଇ କହିଲେ: ତୁ ଛୋଟ ପିଲା, ତୁ ବୁଝିପାରିବୁନି ଆଲୁଅ କ’ଣ ଅନ୍ଧାର କ’ଣ ।
ସୁଇଟି ବଡ଼ ଅଡ଼ୁଆରେ ପଡ଼ିଗଲା । ଏ କେମିତି କଥା ରାତି ହେଲେ ଅନ୍ଧାର ଆଉ ଦିନ ହେଲେ ଆଲୁଅ । ଏଥିରେ ଛୋଟ ବଡ଼ରେ କ’ଣ ଅଛି!

ବାପା କହିଲେ : ବୁଝିଲ, ଏ ଦି’ଦିନ ଘରଟା ପୁରା ଖାଁ ଖାଁ ଲାଗୁଥିଲା,ଯେମିତି ଶୁନ୍‌ଶାନ୍ ମରୁଭୂମି।
ସୁଇଟିକୁ ବଡ଼ ଖରାପ ଲାଗିଲା ପାପାଙ୍କ କଥା । ଏଇ ଦି’ଦିନ ତ ବାପାଙ୍କର ସାଙ୍ଗମାନେ ଘରକୁ ଆସୁଥିଲେ । ସେମାନେ କୁକୁଡ଼ା ମାଂସର ଭୋଜି ବି କରିଥିଲେ । ସୁଇଟି ତ ନିଜେ ପାପାଙ୍କ ସାଙ୍ଗରେ ଖାଇଛି । ତାଙ୍କ ସାଙ୍ଗମାନଙ୍କ ସହ ପାପା ବି ତ ଏଇ ଡାଇନିଂ ଟେବୁଲ୍‌ରେ କ’ଣ ପିଆପି’ କରୁଥିଲେ । କାହିଁକି କହୁଛନ୍ତି ଘରଟା ଶୁନ୍‌ଶାନ୍ ଥିଲା ବୋଲି । ସୁଇଟି ଭାବିଲା ।
ତା’ଛଡ଼ା ମୀରା ଆଂଟି ବି ତ କାଲି ସଂଜବେଳେ ଆସିଥିଲେ । ପାପା ଆଉ ସେ ଏଇ ସୋଫାରେ ବସି କୋଉ ଗୋଟେ ଗୀତର ଧୁନ୍ ଧରିଥିଲେ । ସେ ପାଖକୁ ଗଲାରୁ ତାକୁ କହିଥିଲେ : ତୁ ଯା’ ଟିଭିରେ କାର୍ଟୁନ୍ ଦେଖୁଥା, ଆମେ ଗୀତ ପ୍ରାକ୍‌ଟିସ୍ କରୁଛୁ ।
ସୁଇଟି ଏଥର ଠିଆ ହୋଇ କହିଲା : ମମି, ମମି ତମେ ନଥିଲା ବେଳେ ତ ପାପା ମୀରା ଆଂଟିଙ୍କୁ ଏଇଠି କହୁଥିଲେ ଘରଟା ତମେ ଆସିବାରୁ ରଙ୍ଗୀନ ହୋଇଯାଇଛି ।
ବାପା ରାଗିଯାଇ କହିଲେ : ବୁଝିଲ ଲୁମି, ଏତେ ଛୋଟ ପିଲା ଆଜି ଠୁଁ ଏମିତି ମିଛ କହିଲେ , ୟା’ର ଭବିଷ୍ୟତ କ’ଣ ହେବ !

ଶ୍ରୀରୂପା, ରାମନଗରପଡ଼ା
ଭବାନୀପାଟଣା-୭୬୬ ୦୦୧
କଳାହାଣ୍ଡି
ମୋ.୯୪୩୭୭ ୦୦୦୩୭

Leave A Reply

Your email address will not be published.

13 − two =