jayashree

ଅଧିକାରୀଙ୍କୁ ନେଇ ଛତାମଖନା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲିଲେ ନରସିଂହ

  • ଯୁଧିଷ୍ଠିର ମହାବିଦ୍ୟାଳୟ ଓ ମିଶ୍ର କଟା ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ହେବାରେ ବିଳମ୍ବ କାହିଁକି : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାନୁଷ୍ଠାନ ଏବଂ ପୋଖରୀ ଗୁଡିକର ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନେକ ଅନୁଦାନ ଅଣାଯାଇଛି । ସେହିକ୍ରମରେ ନିଜ ନିର୍ବାଚନ ମଣ୍ଡଳୀ ହୋଇ ନଥିବା ସତ୍ତ୍ୱେ ପୁଇଁତଲା ବ୍ଲକ ସ୍ଥିତ ଛତାମଖନା ପଞ୍ଚାୟତର ଛତାମଖନା ଗାଁରେ ଥିବା ମିଶ୍ର କଟା ଏବଂ ଯୁଧିଷ୍ଠିର ମହାବିଦ୍ୟାଳୟର ଉନ୍ନତି ପାଇଁ ୫୦ ଲକ୍ଷ ଲେଖାଏଁ ସମୁଦାୟ ଏକ କୋଟି ଟଙ୍କାର ଅନୁଦାନ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଅଣା ଯାଇଥିଲା କିନ୍ତୁ ଦୁଃଖର ବିଷୟ ଯେ, ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଣୁ ଲୋକଙ୍କ ହିତ ପାଇଁ ସରକାରଙ୍କ ସହ ଲଢେଇ କରି ଅଣା ଯାଉଥିବା ଅନୁଦାନ କାହିଁକି ଠିକ୍‌ ସମୟରେ ଅଧିକାରୀ ମାନେ ଖର୍ଚ୍ଚ କରି ପାରିନାହାନ୍ତି ବୋଲି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲା ବେଳେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ କରିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପୋଖରୀ ଓ ମହାବିଦ୍ୟାଳୟ ପାଇଁ ବିଗତ ୨୦୨୩ ମସିହାରୁ ଅନୁଦାନ ଅଣାସରିଛି । ଏହା ଭିତରେ ଗୋଟିଏ ସରକାର ବଦଳି ସାରିଛି କିନ୍ତୁ ଏକକୋଟି ଟଙ୍କାର ଏହି ଦୁଇଟି ପ୍ରକଳ୍ପ ଅଧିକାରୀ ମାନଙ୍କ ମନ୍ଦ ଉଦ୍ଦେଶ ଓ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଟେଣ୍ଡର ମଧ୍ୟ ଡକା ଯାଇପାରି ନାହିଁ । ଏହି ପୋଖରୀ ଓ ମହାବିଦ୍ୟାଳୟ ପରିଦର୍ଶନ ସମୟରେ ପୂଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ୱାଇଁ କନିଷ୍ଠ ଯନ୍ତ୍ରୀ ଚିନ୍ମୟୀ ସାମଲ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରିୟମ୍ବଦା କାଲୋଙ୍କୁ ମିଶ୍ର କଟା ଏବଂ ଯୁଧିଷ୍ଠିର ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ଟେଣ୍ଡର କାହିଁକି ଏଯାଏଁ ଡକାଯାଇ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ବିଭାଗୀୟ ଅଧିକାରୀମାନେ ଉଭୟ ପ୍ରକଳ୍ପ ପାଇଁ ଯାଇଥିବା ପ୍ରସ୍ତାବ ଅଟକଳରେ ଭୁଲ ଥିବା ଯୋଗୁ ବିଳମ୍ବ ହେଉଥିବାର ଉତ୍ତର ରଖିଥିଲେ । ଏହାକୁ ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଉଭୟ ପ୍ରକଳ୍ପ ପାଇଁ ଏକ ସଠିକ ନକ୍ସା ଓ ବିବରଣୀ ସହ ଆଗାମୀ ୧୫ ଦିନ ଭିତରେ ଏହାର ମଞ୍ଜୁରୀ ସହ ଆଉ ପନ୍ଦର ଦିନ ଭିତରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ କରନ୍ତୁ ବୋଲି କହିଥିଲେ । ମିଶ୍ର କଟାର ଜଳ ଧାରଣ କ୍ଷମତା ବଢାଇବା ଦରକାର ଥିବା ସ୍ଥାନରେ ପ୍ରୋଟେକ୍ସନ ବାଡ଼ ଓ ପୋଖରୀ ଆଡିରେ ଥିବା ରାସ୍ତାର ନିର୍ମାଣ ଠିକ୍‌ ହିସାବରେ ହେବା ପାଇଁ ଆଲୋଚନା ହୋଇଥିଲା । ଠିକ୍‌ ସେହିପରି ଯୁଧିଷ୍ଠିର ମହାବିଦ୍ୟାଳୟର ଆସିଥିବା ୫୦ ଲକ୍ଷ ଅନୁଦାନ ରାଶିରେ ଦୁଇଟି ବଡ ଶ୍ରେଣୀ ଗୃହ ତିଆରି କରାଯିବାର ସ୍ଥିରୀକୃତ ହୋଇଥିଲା । ଏସବୁ କାର୍ଯ୍ୟର ମାନରେ କୌଣସି ପ୍ରକାର ସାଲିସ କରା ନଯାଉ ଏବଂ ଅଧିକାରୀ ମାନେ ତତ୍ପରତା ସହ କାମ ତଦାରଖ କରି ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ କରନ୍ତୁ ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଯନ୍ତ୍ରୀ ବୃଷବ ହୋତା, ଯୁଧିଷ୍ଠିର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦାମ ଚରଣ ଖମାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.