ppurohit

ନାବାଳିକା ଛାତ୍ରୀ ଯୌନ ନିର୍ଯ୍ୟାତନା ମାମଲା : ଅପରାଧୀ ଶିକ୍ଷକର ଗିରଫ ଦାବୀରେ କଂଗ୍ରେସର ଥାନା ଘେରାଉ

2nd

କଳାହାଣ୍ଡି, (ହେମନ୍ତ ସାହୁ) : ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲାକୁ ୧୮ ଦିନରୁ ଅଧିକ ହେଇଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାନଯିବା ପଛରେ କୋଉ ରହସ୍ୟ ରହିଛି, ପୋଲିସ ଘଂଟ ଘୋଡ଼ାଉଛି ନା କେହି ନେତା ତାକୁ ସୁରକ୍ଷା ଦଉଛି ? ନବୀନ ସରକାର ମା’କୁ ସମ୍ମାନର ନାରା ଦେଉଥିଲେ ହେଁ ତାଙ୍କରି ସମୟରେ ନାବାଳିକାଙ୍କୁ ଦୁଷ୍କର୍ମର ଅଭିଯୁକ୍ତମାନେ କେମିତି ପ୍ରଶାସନ ଆଖିରେ ଧୂଳି ଦେଇ ଆଇନ ଆଢୁଆଳରେ ରହୁଛନ୍ତି ବୋଲି ଆଜି ଅପରାଧୀ ଶିକ୍ଷକଙ୍କ ଗିରଫ ଦାବୀ କରି କଂଗ୍ରେସର ଥାନା ଘେରାଉ ସମୟରେ ମତପ୍ରକାଶ ପାଇଛି । ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପରମାନନ୍ଦ ମାଝୀ (ରାଜ୍ୟ ଆଦିବାସୀ ନେତା), ସୁକାନ୍ତି ସରାପ୍ ‌(ଜିଲ୍ଲା ସଭାନେତ୍ରୀ), ତ୍ରିଲୋଚନ ପାଣିଗ୍ରାହୀ (ରାଜ୍ୟ ଯୁବ କଂଗ୍ରେସ), ସାହେବ ଖାଁ, ମାଣିକ୍ୟ ସୁନା, ସରୋଜ ବାଗ, ଯୁବନେତା ବିଭୂତି ଭୂଷଣ ମହାକୁଡ଼, ଯୁବ କଂଗ୍ରେସ ସଭାପତି ରଶ୍ମି ରଂଜନ ପ୍ରହରାଜ, ପ୍ରକାଶ ଚନ୍ଦ୍ର ମାଝୀ, ସାଧନା ପ୍ରଧାନ, ମନ୍ଦାକିନୀ ବାଣୁଆ, ସୁଚିତ୍ରା ସାହୁ, ଯଶୋଦା ନାଗ, ସଂଯୁକ୍ତା ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିବା ବେଳେ ନାରାୟଣ ପ୍ରସାଦ ଅଗ୍ରୱାଲ, ଦିଲୀପ କୁମାର ମହାକୁଡଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ । ଯଦି ଅଳ୍ପ ଦିନ ଭିତରେ ଏହି ଅଭିଯୁକ୍ତ ଶିକ୍ଷକକୁ ଗିରଫ କରାନଯାଏ ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସର ଥାନା ଘେରାଉ ଅବସରରେ ନେତାମାନେ ମତ ଦେଇଛନ୍ତି । ଏଠାରେ ସୂଚନା ଥାଉ କି, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନ ନିର୍ୟ୍ୟାତନା ମାମଲା ହେବା ପରେ ଶିକ୍ଷକଙ୍କ ଗିରଫ ହେଉନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନଉଠିଛି । ଗତ ମାର୍ଚ୍ଚ ୧୩ ତାରିଖରେ ଏନେଇ ପରିବାର ଲୋକେ ପ୍ରଥମେ ନାବାଳିକା ନିଖୋଜ ହେଇଥିବା ନେଇ ମ.ରାମପୁର ଥାନାରେ ଅଭିଯୋଗ ପରେ ସେହିଦିନ ହିଁ ନାବାଳିକା ଜଣଙ୍କୁ ନର୍ଲା ବ୍ଲକ ପଲମ୍‌ର ଏକ ଭଡ଼ାଘରୁ ଉଦ୍ଧାର କରାଯାଇଥିଲ । ତେବେ ଅଭିଯୁକ୍ତ ଶିକ୍ଷକ ଜଣକ ବର୍ତ୍ତମାନ ପର୍ୟ୍ୟନ୍ତ ଫେରାର ଅଛନ୍ତି । ସେ ଶିକ୍ଷକତା କରୁଥିବା ବେଲଗାଁ ସରକାରୀ ବିଦ୍ୟାଳୟରେ ଥିବା ତାଙ୍କରି ଏକ ବୋଲେରୋ ଗାଡ଼ିକୁ ପୋଲିସ ଜବତ କରି ରଖିଛି । ଅନ୍ୟପଟେ ନାବାଳିକାଙ୍କ ବାପା-ମା’ ଝିଅ ପ୍ରତି ହେଇଥିବା ଅତ୍ୟାଚାରର ଉପଯୁକ୍ତ ନ୍ୟାୟ ଦାବୀ କରୁଥିବା ବେଳେ ଅଭିଯୋଗର ପ୍ରାୟ ଅଠର ଦିନ ପରେ ମଧ୍ୟ ମ.ରାମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଇଛି । ଏହି ଅଭିଯୁକ୍ତକୁ ଗିରଫ ଦାବୀରେ ଗତ କିଛି ଦିନ ତଳେ ବିଜେପି ମଧ୍ୟ ଥାନା ଘେରାଉ କରିଥିବା ବେଳେ ପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ ମ.ରାମପୁର ଥାନାଧିକାରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଆଜି ପୁଣି ଥରେ ଥାନା ଘେରାଉ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି କେସ ନଂ୫୧/୨୦୨୧ରେ ତଦନ୍ତ ଚାଲିଥିବା ଜଣାଯାଇଛି । ତେବେ ଆଜି ଏକ ପ୍ରତିନିଧି ଦଳ କେସିଙ୍ଗା ଏସଡ଼ିପିଓଙ୍କୁ ସାକ୍ଷାତ କରିବା ପରେ ସେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ପରେ ଥାନା ଘେରାଉ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.