ଟିଟିଲାଗଡ, (ଗୌରବ ଦର୍ଜୀ) : ଅଭାବ ଦେଖାଇଲା ବଞ୍ଚିବାର ରାସ୍ତା ପାଠ ପଢ଼ାକୁ ଅଧାରେ ଛାଡ଼ି କିଛି କରିବା ଲକ୍ଷ୍ୟରେ ବାହାରି ଥିଲେ ତେଜରାଜ ସାହୁ । ଆଜି ସେଥିରେ ସଫଳ ହୋଇଛନ୍ତି । ଆଉ ତିଆରି କରିଛନ୍ତି କୁକୁଡ଼ା ଚିଆଁ ଫୁଟା ମେସିନ୍ । ନାଁ ହେଉଛି ‘ଇନ୍କ୍ୟୁଭେଟର’ । ୟୁଟ୍ୟୁବ୍ରୁ ଦେଖି ସେଥିରେ କିଛି ଯନ୍ତ୍ରାଂଶକୁ ଖଞ୍ଜି ତିଆରି କରିଛନ୍ତି ଏହି ମେସିନ୍ । ଏଥିପାଇଁ ୨୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏବେ ତେଜରାଜ ସାହୁ ନିଜେ ସ୍ୱାବଲମ୍ୱୀ ହେବା ସହିତ କୁକୁଡ଼ା ଚାଷୀଙ୍କ ପାଇଁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି । ଟିଟିଲାଗଡ଼ ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଗତବର୍ଷ ଟିଟିଲାଗଡ଼ ଡିଏଭି କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିଲେ । ମାତ୍ର ଆର୍ଥିକ ଅଭାବରୁ ଅଧିକ ପାଠ ପଢ଼ି ପାରିଲେ ନାହିଁ, ହେଲେ ଭାଙ୍ଗି ପଡ଼ିନଥିଲେ । ଏପରିକି ଅଭାବ ଅନାଟନ ଆଗରେ ଆତ୍ମ ସମର୍ପଣ କରିନଥିଲେ । ଜିଇଁବା ପାଇଁ କରିଥିଲେ ସଂଘର୍ଷ । ୟୁଟ୍ୟୁବ୍ର ସାହାରା ନେଇ ତିଆରି କଲେ ‘ଇନ୍କ୍ୟୁଭେଟର’ । ସେଥିରେ କୁକୁଡ଼ା ଅଣ୍ଡାକୁ ରଖି ଚିଆଁ ଫୁଟାଉଛନ୍ତି । ଏବେ ସେହି ମେସିନ୍କୁ ବିକି ନିଜେ ସ୍ୱାବଲମ୍ୱୀ ହେବା ସହିତ କୁକୁଡା ଚାଷୀଙ୍କ ମୁହଁରେ ଫୁଟାଇଛନ୍ତି ହସ । ତେଜରାଜ ସାହୁଙ୍କ କହିବା ଅନୁସାରେ ତାଙ୍କ ଘରେ ଗୋଟିଏ କାଟୁଳି(ମାଇ କୁକୁଡ଼ା) ଥିଲା । ୧୫ରୁ ଅଧିକ ଅଣ୍ଡା ଦେବା ପରେ କାଟୁଳି ମରିଗଲା । କାଟୁଳିର ମୃତ୍ୟୁ ପରେ ଅଣ୍ଡାରୁ ଚିଆଁ କେମିତି ବାହାରିବ ? ସେହି ଚିନ୍ତାରେ ପଡ଼ିଗଲେ ତେଜରାଜ ସାହୁ । ସେଥିପାଇଁ ସେ ୟୁଟ୍ୟୁବ୍ର ସାହାଯ୍ୟ ନେଲେ । ସେ ପ୍ରଥମେ ଅନ୍ଲାଇନ୍ରେ ଏକ ଏଲେକ୍ଟ୍ରୋନିକ୍ କିଟ୍ ମଗାଇଥିଲେ । ଏହି କିଟ୍କୁ ମାଛ ଆସୁଥିବା ଥର୍ମୋକୁଲ୍ ବକ୍ସରେ ଫିଟିଙ୍ଗ କଲେ । ସେଥିରେ ୧୦୦ ୱାଟର ୨ଟି ବଲ୍ବ ଓ ଥର୍ମୋ ଷ୍ଟାର୍ଟ ଲଗାଇଲେ । ପରେ ୧୫ଟି ଅଣ୍ଡାକୁ ପରୀକ୍ଷା ମୂଳକ ଭାବେ ସେଥିରେ ରଖିଥିଲେ । ୨୦ରୁ ୨୫ ଦିନ ରହିବା ପରେ ପ୍ରଥମେ ଗୋଟିଏ ଚିଆଁ ଅଣ୍ଡାରୁ ବାହାରିଥିଲା । ପରେ ଆଉ ୭ଟି ଛୁଆ ଅଣ୍ଡାରୁ ବାହାରିଥିଲେ । ଏହା ପରେ ତେଜରାଜଙ୍କ ଖୁସିର ଠିକଣା ରହିଲା ନାହିଁ ।ତେଜରାଜଙ୍କ ଏଭଳି ଆବିଷ୍କାରରେ ସେହି ଅଞ୍ଚଳର କୁକୁଡା ଚାଷୀ ବେଶ୍ ଖୁସ୍ । ତାଙ୍କଠାରୁ ସେହି ମେସିନ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଗତ ୩ ମାସରେ ସେ ୫ଟି ହାତ ତିଆରି ଇନକ୍ୟୁଭେଟର ବିକ୍ରି କରି ସାରିଲେଣି । ଏହି ମେସିନ୍କୁ ତିଆରି ପାଇଁ ୨୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ବିକ୍ରି କରୁଛନ୍ତି ତେଜରାଜ । କେବଳ କୁକୁଡା ଅଣ୍ଡା ନୁହେଁ, ସେ ଗୁଣ୍ଡରୀ ଅଣ୍ଡା ପାଇଁ ମଧ୍ୟ ସ୍ୱତନ୍ତ୍ର ଇନକ୍ୟୁଭେଟର ବନାଇଛନ୍ତି । ବର୍ତ୍ତମାନ ସ୍ଥାନୀୟ କୁକୁଡା ବ୍ରୀଡ ସହିତ ବନରାଜ, କଡକନାଥ, ପଲଶା କୁକୁଡା ଅଣ୍ଡା ଆଣି କିଭଳି କୁକୁଡା ଚାଷ କରିବେ, ତାହାକୁ ନେଇକ ଚିନ୍ତା କରୁଥିବା ସେ କହିଛନ୍ତି ।
Prev Post