ଆବାସ ଯୋଜନା ଟଙ୍କା ହଡପ୍‌ ଅଭିଯୋଗ : ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ୍‌ ଅଧୀନସ୍ଥ କୁଶମେଲ ଗ୍ରାମ ପଞ୍ଚାୟତର ଫଟାବାହାଲ ଗାଁରେ ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଟଙ୍କା ଜିଓଟେଗ୍‌ରେ କାମ କରୁଥିବା ଜଣେ ଯୁବକ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି । ଆବାସ ଯୋଜନା ହିତାଧିକାରୀ ବନମାଳି ପଧାନ ଅଭିଯୋଗ କରିଛନ୍ତି ଯେ, କୁଶଙ୍ଗ ଓ କୁଶମେଲ ଏସ୍‌ବିଆଇ ଶାଖାରେ ତାଙ୍କର ଦୁଇଟି ଏକାଉଣ୍ଟ ରହିଥିବା ବେଳେ ଏହି ଏକାଉଣ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ସରକାରୀ ଯୋଜନାର ଟଙ୍କା ଜମାହୁଏ । ତେବେ ଗତ ମଙ୍ଗଳବାର ଦିନ କୁଶଙ୍ଗ ଏସ୍‌ବିଆଇର ଖାତା କ୍ଲୋଜ୍‌ କରି ଟଙ୍କା ଉଠାଇବା ପାଇଁ ସଂପୃକ୍ତ ଜିଓଟେଗ୍‌ ଆଶିଷ ମହାପାତ୍ରଙ୍କ ସହ ସେ ବ୍ୟାଙ୍କକୁ ଯାଇଥିଲେ । ତେବେ ବ୍ୟାଙ୍କରୁ ୨୪ ହଜାର ଟଙ୍କା ଉଠାଇବା ପରେ ଖାତାଧିକାରୀ ବନମାଳିଙ୍କୁ ୧୨୦୦ ଟଙ୍କା ଦେଇ ବାକିତକ ଟଙ୍କା ଆଶିଷ ମହାପାତ୍ର ହରନ୍‌ଚାଲ୍‌ କରି ନେଇଥିବା ଅଭିଯୋଗରେ କୁହାଯାଇଛି । ଏହାକୁ ଅଭିଯୁକ୍ତ ଆଶିଷ ମହାପାତ୍ର ଅସ୍ୱୀକାର କରିଥିବା ବେଳେ ଏ ସଂପର୍କରେ ବଲାଙ୍ଗିର ସଦର ଥାନାରେ ବନମାଳି ପଧାନ ଅଭିଯୋଗ କରିଛନ୍ତି । ତେବେ ବ୍ୟାଙ୍କରେ ଏକାଉଣ୍ଟ ଯାଂଚ କରିବା ପରେ ସମସ୍ତ ବିଷୟ ଜଣାପଡ଼ିବ ବୋଲି ସଦର ଥାନା ଅଧିକାରୀ ତୋଫାନ ବାଗ କହିଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.