ସଂଗୀତ କ୍ଷେତ୍ରରେ ସୁମନ ଏକ ଉଜ୍ୱଳ ପ୍ରତିଶ୍ରୁତି ନିଶ୍ଚୟ

କଳାହାଣ୍ଡି, (କେପିଏନ୍ଏସ୍) : ପିଲାଦିନରୁ ବିଦ୍ୟାଳୟରେ ପ୍ରାର୍ଥନା ବୋଲିବା ହେଉ କି ବିଭିନ୍ନ ସମୟରେ କଣ୍ଠ ସଂଗୀତ ପ୍ରତିଯୋଗୀତା ହେଉ, ସବୁଥିରେ ଭାଗନେଇ ପ୍ରଥମସ୍ଥାନରେ ରୁହନ୍ତି ସୁମନ ଶେଖର ମିଶ୍ର । ଏବେ ବି ଖୁବ ବୟସ ନୁହେଁ, ମାତ୍ର ୨୩ ବର୍ଷ ବୟସର ଜଣେ ଯୁବକ । ତାଙ୍କରି ସୁମଧୁର ସ୍ୱର ଥରେ ଶୁଣିଲେ ଆପଣ ବି କହିବେ, ସଂଗୀତ କ୍ଷେତ୍ରରେ ସୁମନ ଏକ ଉଜ୍ୱଳ ପ୍ରତିଶ୍ରୁତି ନିଶ୍ଚୟ ।


ପିତା ରମେଶ ଚନ୍ଦ୍ର ମିଶ୍ର ଏବଂ ମାତା କଳ୍ପନା ମିଶ୍ରଙ୍କ ଏକମାତ୍ର ପୁତ୍ର ସୁମନ ଶେଖର ମିଶ୍ର କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରିଛନ୍ତି । ପରେ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରୁ ସଂସ୍କୃତରେ ଆଚାର୍ୟ୍ୟ ଡ଼ିଗ୍ରୀ ହାସଲ କରିଥିବା ବେଳେ ସଂଗୀତ ଶିକ୍ଷାରେ ଗୁରୁ ସନ୍ତୋଷ କୁମାର ଦାଶଙ୍କ ତତ୍ୱାବଧାନରେ ସଂଗୀତ ବିଶାରଦ ଅଧ୍ୟୟନ କରିଛନ୍ତି । ସୁମନ ଛାତ୍ରାବସ୍ଥାରୁ ବିଭିନ୍ନ ସମୟରେ ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ୟ୍ୟନ୍ତ ତଥା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ହେଉଥିବା କଣ୍ଠ ସଂଗୀତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହିଁ ହାସଲ କରିଛନ୍ତି । ବିଟ୍ସ ମେଲୋଡ଼ି ମ.ରାମପୁରର ଜଣେ ଆଗଧାଡ଼ିର କଣ୍ଟଶିଳ୍ପୀ ହେଇଥିବାବେଳେ ସେ ଜିଲ୍ଲା, ରାଜ୍ୟ ସ୍ତରରେ ବିଭିନ୍ନ ମହୋତ୍ସବ ଅବସରରେ ଆଧୁନିକ ଗୀତ, ଭଜନ ପରିବେଷଣ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ଏମବିସି ଟିଭିରେ ଚ୍ୟାନେଲରେ ସୁନାବେଶ ଅବସରରେ ଭଜନ ପରିବେଷଣ,ପ୍ରାର୍ଥନା ଟିଭି ଚ୍ୟାନେଲରେ ପ୍ରତିଭା କାର୍ୟ୍ୟକ୍ରମରେ ଅଂଶଗ୍ରହଣ ତାଙ୍କ ସୁମଧୁର କଣ୍ଟସ୍ୱରର ପ୍ରମାଣ ଦିଏ ।
ସୁମନ କୁହନ୍ତି, ଜୀବନରେ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି ଗୁରୁ ସନ୍ତୋଷ କୁମାର ଦୁବେଙ୍କ ତତ୍ୱାବଧାନରେ ଗୀତ ଶିଖି ପଥମ ସ୍ଥାନ ହାସଲ କରିବା ପରେ ଗୀତ ପ୍ରତି ଭାବ ବାନ୍ଧି ହେଇଗଲା, ଆଉ ମୁଁ ଆଗେଇବାର ପ୍ରୟାସରେ ଲାଗି ପଡ଼ିଛି । ଜଣେ ବିଖ୍ୟାତ ସଂଗୀତ ନିର୍ଦେଶକ ମୋର ଦଦେଇ ବସନ୍ତ କୁମାର ମିଶ୍ର, ପୁରୀରେ ଅଧ୍ୟୟନ ସମୟରେ ସଙ୍ଗୀତଜ୍ଞ ରାଜେଶ କୁମାର ରଥ, ବିଟ୍ସ ମେଲୋଡ଼ିର ମୁଖ୍ୟ ବଡ଼ଭାଇ ଅବିନାଶ କୁମାର ଶତପଥୀଙ୍କ ଆଶିର୍ବାଦ ତଥା ପ୍ରେରଣା ଆଗକୁ ବଢିବାରେ ସହାୟ ହେଉଛି ବୋଲି ।
ସଂଗୀତରେ ଜୀବନ ଖୋଜୁଥିବା ସୁମନ ଶେଖର ଯେ, ସଂଗୀତ କ୍ଷେତ୍ରରେ ଆହୁରି ସଫଳତା ପାଇବେ ଏବଂ ଓଡ଼ିଶାର ଜଣେ ଆଗଧାଡ଼ିର କଣ୍ଟଶିଳ୍ପୀ ହେଇପାରିବେ ତାହା ତାଙ୍କ ନିଷ୍ଠା ଓ ସାଧନାରୁ ସ୍ପଷ୍ଟ ବାରି ହେଇପଡ଼େ । ସୁମନ ଶୀର୍ଷ ସଫଳତା ହାସଲ କରନ୍ତୁ, ଏହା ହିଁ କାମନା ।

Leave A Reply

Your email address will not be published.