ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଦ୍ୱାରା ଶ୍ମଶାନ ସ୍ଥଳ ଅକ୍ତିଆର୍‌ ପ୍ରସଙ୍ଗ : ଆନ୍ଦୋଳନ ପାଇଁ ଅଂଟା ଭିଡ଼ିଲା ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପାଖରେ ରହିଥିବା ଶ୍ମଶାନ ସ୍ଥଳକୁ ସିଆର୍‌ପିଏଫ୍‌ ଦ୍ୱାରା ଜୋର୍‌ ଜବର୍‌ଦସ୍ତ ଅକ୍ତିଆର କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ନୂତନ ଶ୍ମଶାନ ସ୍ଥଳ ଦାବୀକୁ ବଳିଷ୍ଠ କରିଛି ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ । ସିଆର୍‌ପିଏଫ୍‌ ପକ୍ଷରୁ ଯଦି ଆଗାମୀ ୭ ଦିନ ମଧ୍ୟରେ ନୂତନ ଶ୍ମଶାନ ସ୍ଥଳ ପ୍ରଦାନ କରା ନଯାଏ, ତେବେ ଅଂଚଳବାସୀଙ୍କୁ ନେଇ ଘନଘୋର୍‌ ଆନ୍ଦୋଳନ କରାଯିବ ଏବଂ ସ୍ଥାନୀୟ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ ଦୀର୍ଘ ୫୦ ବର୍ଷ ଧରି ଶାନ୍ତିପଡ଼ା, କନ୍ଧପାଲିପଡ଼ା, ଲର୍କିପାଲି, ଲାଲଟିକ୍ରା, ଚନ୍ଦ୍ରଶେଖରନଗର ତଥା ସରକାରୀ ଆଇଟିଆଇ ପାଖାପାଖି ଅଂଚଳରେ ବସବାସ କରୁଥିବା ଲୋକେ ଏହି ଶ୍ମଶାନରେ ଶବଦାହ କରି ଆସୁଥିଲେ । କିନ୍ତୁ ସ୍ଥାନୀୟ ଗୋଫାର୍ମ ପରିସରରେ ଗଢ଼ି ଉଠିଥିବା ସିଆର୍‌ପିଏଫ୍‌ କ୍ୟାମ୍ପ ପକ୍ଷରୁ ଗତ ଦୁଇ ତିନି ବର୍ଷ ହେବ ଶ୍ମଶାନ ସ୍ଥାନକୁ ଅକ୍ତିଆର କରିନେବା ପରେ ସେଠାରେ ଶବ ଦାହ କରିବାକୁ ମନା କରି ଦିଆଯାଇଥିଲା । ତେବେ ଏ ସଂକ୍ରାନ୍ତରେ ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବାରେ ପରେ ସେ କୁଆଡେ଼ କହିଥିଲେ ଯେ, ତୁମେ ଜାଗ ଠିକ୍‌ କରି କୁହ, ଆମେ ସେଠାରେ ଶ୍ମଶାନ ତିଆରି ଦେବୁ । ୟା’ ପରେ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ର ଯୁବକମାନେ ଜିଲ୍ଲା ପ୍ରଶାସନକୁ ଜାଗାଟିଏ ପାଇଁ ଜଣାଇଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ମଶାନ ଘାଟ ପାଇଁ ଜାଗାଟିଏ ହସ୍ତାନ୍ତର କରାଯାଇ ପାରି ନଥିବା ଜଣାପଡ଼ିଛି । ତେବେ ଆଖପାଖର ଲୋକେ ଅନନ୍ୟୋପାୟ ହୋଇ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ଥିବା ପୋଖରୀ ପାଖରେ ଶବ ଦାହ କରୁଥିବା ବେଳେ ‘ଏହି ସ୍ଥାନରେ ଶବ ଦାହ କରନ୍ତୁ ନାହିଁ’ ବୋଲି ଏକ ବୋଡର଼୍ ମରାଯାଇଥିବା ଦେଖିବାକୁ ମିଳିଛି । ଏହି ବିଷୟକୁ ନେଇ ସ୍ଥାନୀୟ ଅଂଳଚରେ ଅସନ୍ତୋଷ ବୃଦ୍ଧି ପାଇଛି ।

ଦୀର୍ଘ ୫୦ ବର୍ଷ ଧରି ସଂପୃକ୍ତ ଅଂଚଳର ଲୋକେ ଶବ ଦାହ କରୁଥିବା ଏହି ଶ୍ମଶାନ ସ୍ଥଳରେ ସରକାରୀ ଅନୁଦାନରେ ଏକ ନଳକୂପ, ବାଉଣ୍ଡରୀ ୱାଲ ତଥା ଏକ ବିଶ୍ରାମ ସ୍ଥଳ ମଧ୍ୟ ନିର୍ମାଣ ହୋଇଥିଲା । ତେବେ ସିଆର୍‌ପିଏଫ୍‌ ପକ୍ଷରୁ ଏସବୁ ବ୍ୟବସ୍ଥା ସହ ଏକ ଶ୍ମଶାନ ସ୍ଥଳ ଆଗାମୀ ୭ ଦିନ ଭିତରେ ଜନସାଧାରଣଙ୍କ ହିତ ପାଇଁ ପ୍ରଦାନ କରାଯିବାକୁ ଦାବୀ କରାଯାଇଛି ।

ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଅଂଚଳ ଗୁଡ଼ିକରେ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପ୍ରତିଷ୍ଠା ହୁଏ, ସେସବୁ ଅଂଚଳରେ ଅନେକ ଜନ ହିତକର ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । କିନ୍ତୁ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ କାର୍ଯ୍ୟଳୟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ସିଆର୍‌ପିଏଫ୍‌ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ସ୍ଥଳକୁ ଛଡ଼ାଇ ନେଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଖୁବ୍‌ କଷ୍ଟ ଦେଇଛି ।

ତେବେ ଆଗାମୀ ଦିନରେ ଏକ ଘନଘୋର ଜନଆନ୍ଦୋଳନକୁ ଏଡ଼ାଇବା ପାଇଁ ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.