ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ୍‌ଫୋର୍ସ୍‌ କମିଟୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟୀର ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ନିର୍ଭୟା କଢି, ମୋ-ଗେହ୍ଲା ଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଗୁରୁବାର ଜିଲ୍ଲା ଟାସ୍କ୍‌ଫୋର୍ସ୍‌ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟୀର ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ୍‌ଫୋର୍ସ୍‌ କମିଟୀ ଓ ଜିଲ୍ଲା ଶିଶୁସୁରକ୍ଷା କମିଟୀ ତଥା ମିଶନବାତ୍ସଲ୍ୟର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟବିବାହ, କନ୍ୟା ଭୃଣ ହତ୍ୟା ଭଳି ଦୁଇଟି ସାମାଜିକ ସମସ୍ୟାକୁ ସଂପୂର୍ଣ୍ଣ ରୂପେ ଜିଲ୍ଲାରୁ ଦୂରୀକରଣ ପାଇଁ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ ହାତକୁ ନିଆଯାଇଛି । ନିର୍ଭୟା କଢି କାର୍ଯ୍ୟକ୍ରମର ସଫଳତା ଆଧାରରେ ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ବିଗତ ଦିନରେ ଘୋଷଣା କରାଯାଇଛି । ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ କନ୍ୟା ଜନ୍ମ ବଢୁଥିବାର ସମୀକ୍ଷା ବୈଠକରୁ ଜଣା ପଡିଥିଲା । ଆଗାମୀ ଦିନରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବରେ କରିବା ପାଇଁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାରେ କନ୍ୟାଭୃଣ ହତ୍ୟା ହେଉଥିବାର ପୂର୍ବ ସୂଚନା ମିଳିଲେ ସୂଚନାଦାତାଙ୍କ ନାମ ଗୋପନ ରଖି ସୂଚନାଦାତାଙ୍କୁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବାର ମଧ୍ୟ ଘୋଷଣା କରାଯାଇଥିଲା । ଗତ ତିନି ମାସରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କଲାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଆବେଦା ପରବିନ ଏବଂ ଜିଲ୍ଲା ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଜିଲ୍ଲାରେ ବିଭିନ୍ନ ବିଭାଗର ସମନ୍ଵୟରେ ଶିଶୁମାନଙ୍କର ସୁରକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର ଏବଂ ବ୍ରହ୍ମପୁର ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ଦିଗରେ ଶ୍ରମ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ଜିଲ୍ଲାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ଗ୍ରାମସ୍ତର ପର୍ଯ୍ୟନ୍ତ ସଠିକ ନିୟମରେ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ମତବ୍ୟକ୍ତ କରିଥିଲେ । ଅଧାରୁ ପାଠ ଛାଡୁଥିବା ପିଲାମାନେ ବିଶେଷ ଭାବରେ ବାଲ୍ୟବିବାହର ଶିକାର ହୋଇଥାଆନ୍ତି । ତେଣୁ ସେହି ପିଲାମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ପୁନଃ ପଠାଇବା ପାଇଁ ଶ୍ରୀମତୀ ଖେସ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ କ୍ରମାଗତ ପାଞ୍ଚଦିନ ଅନୁପସ୍ଥିତ ରହିବେ ସେମାନଙ୍କ ବିଷୟରେ ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାରେ ବାଲ୍ୟବିବାହକୁ ନା କରୁଥିବା କିଶୋର କିଶୋରୀ ଓ ବିଭିନ୍ନ କୁଳନେତା ଏବଂ ପ୍‌ଆର୍‌ଆଇମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାରେ ଶିଶୁଶ୍ରମିକ ଚିହ୍ନଟ ହେଉଥିବା ପିଲାମାନଙ୍କୁ ସଠିକ ଭାବେ ଥଇଥାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସ୍ପୋଂସୋର୍‌ ସିପ୍‌, ଗ୍ରୀନ୍‌ ପେସେସ୍‌ ଏବଂ ପୋଷ୍ୟ ସନ୍ତାନ ସମ୍ପର୍କିତ କାର୍ଯ୍ୟର ବିଳମ୍ବ ହେତୁ ଉପଯୁକ୍ତ ହିତାଧିକାରୀମାନେ ଠିକ ସମୟରେ ସୁବିଧା ପାଇପାରୁନାହାନ୍ତି । ଏଣୁ ଏ ସଂକ୍ରାନ୍ତୀୟ କାର୍ଯ୍ୟକୁ ଅଗ୍ର।ଧିକାର ଦେଇ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର , ଆକ୍ସନ୍‌ ଏଡ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ବିଭାଗ ଡ. ଭି.ସରୋଜିନୀ ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ଶରତ ମହାରଣା, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ଶିବ ରଥ, ସୁଜିତ କୁମାର ସାହୁ, କାମେଶ୍ଵର ପରିଡା ଏବଂ ଜିଲ୍ଲାର ସମସ୍ତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ, ଆଇଏସ୍‌ଆର୍‌ଡିର ନିର୍ଦ୍ଦେଶକ ସୁଧୀର ସାବତ, କିଶୋର ନ୍ୟାୟ ବୋର୍ଡ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିକ୍ଷା ବିଭାଗର ଜ୍ୟୋତିପ୍ରକାଶ ରଥ ଓ ଜିଲ୍ଲା ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ସମ୍ପୃକ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.