ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

  • ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍ୟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡିକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ । ସୂଚନାଯୋଗ୍ୟ ଯେ, ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା । ବିଏମ୍‌ସିର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଉଲ୍ଲେଖ୍ୟ ଯେ ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ । ୭୦୦ରୁ ଅଧିକ ମନ୍ଦିର ଏଠାରେ ରହିଛି । ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ଏଠାରେ ଅଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି । ଏହି ସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ୟ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି । ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ ।

Leave A Reply

Your email address will not be published.