
ବିଜେପୁର, (କେପିଏନ୍ଏସ୍) : ଆକାଶବାଣୀ (ଭାରତର ଲୋକ ସେବା ପ୍ରସାରକ ) ତରଫରୁ ସ୍ୱୀକୃତି ପ୍ରାପ୍ତ ସୁଗମ କଣ୍ଠଶିଳ୍ପୀ ଭାବେ ଚୟନ ହେଲେ ବରଗଡ ଜିଲ୍ଲା ବିଜେପୁର ମାଟିର ମାନସ କୁମାର୍ ଷଡ଼ଙ୍ଗୀ । ଏହି ଉପଲବ୍ଧି ପାଇଁ ଆକାଶବାଣୀ କର୍ତ୍ତୃପକ୍ଷ ତାଙ୍କୁ ବି’ଗ୍ରେଡ କଳାକାର ଭାବେ ସ୍ୱୀକୃତି ପ୍ରଦାନ କରିଛି । ଏକା ଧାରରେ ଜଣେ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଯୁବ କଂଠଶିଳ୍ପୀ, କବି, ଆଲୋଚକ, ସଂସ୍କୃତି ଗବେଷକ, ଅଧ୍ୟାପକ ତଥା ଯୁବ ପିଢିର ପ୍ରେରଣା ଦାୟକ ବ୍ୟକ୍ତିତ୍ୱ ଭାବେ ବେଶ୍ ପରିଚିତ । ସେ ପିଲା ବେଳରୁ ସାହିତ୍ୟ, ସଂସ୍କୃତି, ସଂଗୀତ ପ୍ରତି ନିଷ୍ଠାପର ଭାବେ ସାଧନା ଜାରି ରଖିଛନ୍ତି । ସେ ସମ୍ବଲପୁର ଲୋକ ଉତ୍ସବ ତଥା ଅନ୍ୟାନ୍ୟ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସହ ଜଡିତ ଏବଂ ସେ ବିଭନ୍ନ ସମୟରେ ସଂଗୀତ ପ୍ରତିଯୋଗିତାର ବିଚାରକ ଭାବରେ ଜନମାନସରେ ଏକଛାପ ଛାଡିଛନ୍ତି । ତାଙ୍କର ଅନେକ ଉପଲବ୍ଧି ପାଇଁ ସେ ବହୁ ସମ୍ମାନର ଅଧିକାରୀ । ଏହି ସଫଳତା ପଛରେ ନିଜର ଜନ୍ମମାଟି, ପରିବାରବର୍ଗ, ଗୁରୁଜନ ମଣ୍ଡଳୀ, ବନ୍ଧୁବର୍ଗ ତଥା ଶୁଭେଚ୍ଛୁମାନଙ୍କର ସ୍ନେହ ଶ୍ରଦ୍ଧା ଭଲପାଇବା ରହିଛି ବୋଲି କହନ୍ତି । ଏହି ଖୁସି ଖବର ପାଇବା ପରେ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ୍ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି ।