ବ୍ରହ୍ମପୁର, (କେପିଏନ୍ଏସ୍) : ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ ଓ ତ୍ୟାଗ ଅବିସ୍ମରଣୀୟ ବୋଲି ସାଧୁସନ୍ଥମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ କଞ୍ଚୁଡ଼ୁ ମଠ ମହନ୍ତ ତଥା ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହରିହର ଦାଶ ଅଧ୍ୟକ୍ଷତା କରିଥିଲେ । ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ନବଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସନ୍ଥପୂଜନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ, ସନ୍ଥ ମଦନ ଗୋପାଳ ମହାରାଜ, ସନ୍ଥ ରାମକୃଷ୍ଣ ଦାଶ ମହାରଜା, ପରମାନନ୍ଦ ଦାଶ ମହାରାଜ, ରାଧାକାନ୍ତ ଦାଶ ମହାରାଜ, ସୁନ୍ଦର ରାମଦାଶ ମହାରାଜ, ଚିନ୍ମୟ ମିଶନର ପ୍ରଚାରକ ସ୍ୱାମୀ ଓମ୍ କାରନନ୍ଦ ସରସ୍ୱତୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାମୀ ସଦାନନ୍ଦ ମହାରାଜ (ଜଟଣୀ) ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଥିବା ସାଧୁସନ୍ଥମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ପାଞ୍ଚ ଜଣ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ଆଦିକନ୍ଦ ପାଣିଗ୍ରାହୀ (ଛତ୍ରପୁର), ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ (ଛତ୍ରପୁର), ଜି. ରଘୁନାଥ ରେଡ୍ଡୀ (କରାତଳି), ରାମକୃଷ୍ଣ ନାହାକ (ଦୁଆଲପଲ୍ଲୀ) ଏବଂ ସୀମାଞ୍ଚଳ ଆଚାର୍ଯ୍ୟଙ୍କୁ ମରଣୋତ୍ତର ସମ୍ମାନ ତା’ଙ୍କ ପତ୍ନୀ ପ୍ରତିମା ଆଚାର୍ଯ୍ୟ ଗ୍ରହଣ କରିଥିଲେ । ମନୋଜ କୁମାର ପଣ୍ଡା ଓ ସତ୍ୟନାରାୟଣ ଆଚାର୍ଯ୍ୟ, ଶମ୍ଭୁନାଥ ପଣ୍ଡା, ଶ୍ରୀମତୀ ରଞ୍ଜିତା ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁମାରୀ ସ୍ୱପ୍ନାରାଣୀ ଆଚାର୍ଯ୍ୟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ଥିଲା । ନବଦିନ ବ୍ୟାପୀ ଚାଲିଥିବା ଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ବଡ଼କୋଦଣ୍ଡାର ହାଡ଼ିବନ୍ଧୁ ବିଷୋୟୀଙ୍କ ଦ୍ୱାରା ମା’ ବ୍ୟାଘ୍ରଦେବୀ କଣ୍ଢେଇ ଅପେରା ମାଧ୍ୟମରେ ସଂପୂର୍ଣ୍ଣ ରାମାୟଣ ପରିବେଷଣ ହେବ ।