ସୁଭଦ୍ରା ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ଵରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାର ପ୍ରତ୍ୟେକ ବ୍ଲକ ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ସିଧା ପ୍ରସାରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଓ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ଟିଭି ମାଧ୍ୟମରେ ଦେଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡେଲାଙ୍ଗ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ । ତାଙ୍କ ସହିତ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ବିଡ଼ିଓ କ୍ଷିତିସ ବେହେରା, ସିଡିପିଓ ଜାପାନୀ କୁମାରୀ ମିତ୍ର, ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବ୍ରତ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଧାୟକ ଆଶ୍ରିତ ପଟ୍ଟନାୟକ ସୁଭଦ୍ରା ଯୋଜନା ଯୋଗୁଁ ମହିଳାମାନଙ୍କ ସାମଗ୍ରିକ, ବ୍ୟକ୍ତିଗତ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବା ସଙ୍ଗେ ସଙ୍ଗେ ସେମାନେ ସଶକ୍ତ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏଥି ସହିତ ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନା ଏକ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି ଏବଂ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ଵଚ୍ଛତା ହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୨୦ ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଥିବା ବେଳେ କେତେ ଜଣଙ୍କୁ ଗୃହ ପ୍ରବେଶ ପାଇଁ ଅନୁମତି ବିଧାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ଅଙ୍ଗନୱାଡି ସୁପରଭାଇଜର ଉପସ୍ଥିତ ଥିଲେ । ଶେଷରେ ସିଡିପିଓ ଜାପାନୀ ମିତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଃଖର ବିଷୟ ଏହି ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇନଥିଲା ।

Leave A Reply

Your email address will not be published.