କେନ୍ଦୁଝର ଜିଲ୍ଲା ରଙ୍ଗମାଟିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

  • ଏହା ଏକ ଯାତ୍ରା ନୁହେଁ, ବିକାଶର କ୍ରାନ୍ତି : ଅର୍ଜୁନ ମୁଣ୍ଡା
  • ଜନଜାତି ସଂପ୍ରଦାୟଙ୍କ ସାମଗ୍ରୀକ ବିକାଶରେ ସହାୟକ ହେବ ‘ପିଏମ୍‌ ଜନମନ’ ଯୋଜନା

କେନ୍ଦୁଝର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରୁ ବିକଶିତ ଭାରତର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ବିକାଶର ଏକ କ୍ରାନ୍ତି । ବିପୁଳ ଜନଭାଗିଦାରୀ ସହ ଏହି ଯାତ୍ରା ଦେଶବ୍ୟାପୀ ଆଗେଇ ଚାଲିଛି । ଏହା ଦେଶକୁ ବିକାଶ ପଥରେ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଅର୍ଜୁନ ମୁଣ୍ଡା । କେନ୍ଦୁଝର ଜିଲ୍ଲାର ରଙ୍ଗମାଟିଆଠାରେ ଆୟୋଜିତ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମମାଟିକୁ ଆସି ବିକଶିତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଜଙ୍ଗଲ ଭିତରେ ରହି ଦେଶକୁ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଏହି ଆଦିବାସୀ ନେତାଙ୍କ ଲାଗି ଏହା ହେଉଛି ସର୍ବଶ୍ରେଷ୍ଠ ସମ୍ମାନ । ମୁଁ ସେହି ମାଟିର ପ୍ରତିନିଧି ଭାବେ ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ମୁଣ୍ଡା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିର୍ସାମୁଣ୍ଡାଙ୍କ ମାଟିରୁ ମଧ୍ୟ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ ଜନମନ) ଭଳି ଯୋଜନାର ଶୁଭାରମ୍ଭ ହୋଇଛି । ଓଡ଼ିଶାରେ ଜୁଆଙ୍ଗ, ପାଉଡି ଭୂୟାଁ, ବଣ୍ଡାଙ୍କ ସମେତ ଅନେକ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି ଯେଉଁମାନେ କି ଏବେ ବି ମୁଖ୍ୟସ୍ରୋତରୁ ପଛରେ ପଡିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପିଏମ୍‌ ଜନମନ ଯୋଜନା । ଏଥିରେ ୨୪,୦୦୦ କୋଟି ଟଙ୍କା ବ୍ୟୟ ହେବ, ଯାହାକି ଜନଜାତି ସମ୍ପ୍ରଦାୟର ସାମଗ୍ରୀକ ବିକାଶରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ସମବେତ ଜନତାଙ୍କୁ ବିକଶିତ ଭାରତ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.