
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୋନପୁର ତହସିଲ ପକ୍ଷରୁ ଆୟୋଜିତ ରାଜସ୍ୱ ରଥକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଜସ୍ୱ ରଥ ବର୍ତ୍ତମାନ ସମୟରେ ଜିଲ୍ଲାର ଗ୍ରାମ ଗୁଡିକୁ ଯାଇ ଲୋକଙ୍କୁ ଘର ପାଖରେ ରାଜସ୍ୱ ସମ୍ୱନ୍ଧୀୟ ସୁବିଧା ଯୋଗାଇବ ଯଦ୍ୱାରା ଲୋକଙ୍କୁ ଆଉ ଅଯଥାରେ ଅଫିସକୁ ଆସିବାକୁ ପଡିବ ନାହିଁ ବୋଲି କହିଛନ୍ତି । ତହସିଲ ପକ୍ଷରୁ ଆଜି ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ହିତାଧିକାରୀମାନଙ୍କୁ ଘର ଡିହ ଏବଂ ଜମି ପଟ୍ଟା ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ନବୀନ କୁମାର ପାଢ଼ୀଙ୍କ ସହିତ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ତଥା ରାଜସ୍ୱ ନିରୀକ୍ଷକଙ୍କ ସହ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ରଥ ପର୍ଯ୍ୟାୟ କ୍ରମେ ତହସିଲର ପ୍ରତ୍ୟେକ ଗାଁ ବୁଲିବା ସହ ଲୋକଙ୍କୁ ରାଜସ୍ୱ ସମ୍ୱନ୍ଧୀୟ ସେବା ଯୋଗାଇବ ବୋଲି ଶ୍ରୀ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି ।