ଧାନ କ୍ରୟ ନହେବାରୁ ରାଜରାସ୍ତାରେ ଚାଷୀ

ବୌଦ୍ଧ, (ବଂଶୀଧର ମାଝୀ) : ମଣ୍ତିମାନଙ୍କରେ ଟୋକନ ସମସ୍ୟା ଚାଷୀଙ୍କ ମନରେ ଉତ୍କଟ ରୂପ ନେବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଖରିଫ ଧାନ କ୍ରୟ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । ଟୋକନ ସମସ୍ୟାକୁ ନେଇ ଆଜି ସକାଳେ କଣ୍ଟାମାଳ ସେବା ସମବାୟ ସମିତିର ଚାଷୀମାନେ ସମିତି କାର୍ୟ୍ୟାଳୟ ନିକଟ ୪୧ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଧାନ ବିକ୍ରୟ ପାଇଁ ରାଜ୍ୟସ୍ତରରୁ ଚାଷୀଙ୍କ ନିକଟକୁ ଟୋକନ ଆସିଥିଲେ ମଧ୍ୟ ଟାର୍ଗେଟ ନଥିବା କହି ଚାଷୀଙ୍କ ଧାନ ଉଠା ଯାଉନାହିଁ । ଚାଷୀଙ୍କ ଧାନ ବିକ୍ରୟ ନହୋଇ ମଣ୍ଡିରେ ପଡିରହିଥିବା ଦେଖିବାକୁ ମିଳୁଛି । ଧାନ ବିକ୍ରି କରି ନପାରି ଚାଷି ନିଜର ଝିଅ ପୁଅଙ୍କ ବିବାହ ପାଇଁ ଆର୍ଥିକ ଦୁର୍ଦ୍ଦଶା ଭୋଗ କରୁଥିବା ଜଣାପଡିଛି । ଅନ୍ୟପଟେ ପେକ୍ସ ସଂପାଦକ ବ୍ୟବସାୟୀଙ୍କୁ ଗୁରୁତ୍ବ ଦେଉଥିବା ବେଳେ ଚାଷୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ପ୍ରଶାସନ ସେଥିପାଇଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଫଳରେ ଉତ୍ୟକ୍ତ ଚାଷୀ ରାଜପଥ ଅବରୋଧ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନଦେବା ଉଚିତ ।

Leave A Reply

Your email address will not be published.