ବରଗଡରେ ଆଜିଠାରୁ ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ବରଗଡ଼ର ସହଯୋଗିତା କ୍ରମେ ବରଗଡ଼ଠାରେ ଆଜି ଓ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା । ବରଗଡ଼ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଏହି ଦୁଇଦିନିଆ ମୁଏଥାଇ ପ୍ରତିଯୋଗିତା । ଏହି ପ୍ରତିଯୋିତା ମାଧ୍ୟମରେ “ଜାତୀୟ ମୁଇଥାଇ ଚାମ୍ପିଅନସିପ୍‌” ପାଇଁ ପ୍ରତିଯୋଗୀ ଚୟନ କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ଏଥିରେ ମୋଟ ୮ଟି ବୟସ ବର୍ଗରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବିଭିନ୍ନ ଓଜନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ୍ ୨୭୦ ସଂଖ୍ୟାରେ ମୁଏଥାଇ ଯୋଦ୍ଧା, ଅଫିସିଆଲ, କୋଚ, ରେଫରି ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଅଂଶଗ୍ରହଣ କରିବେ ବୋଲି ୟୁନିଅନର ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ମହାମାରୀ କୋରାନ ଯୋଗୁ ଏହି ପ୍ରତିଯୋଗିତାକୁ ଦୁଇ ବର୍ଷ ପାଇଁ ଆୟୋଜକ ସ୍ଥଗିତ ରଖିଥିବା ବେଳେ ଚଳିତ ବର୍ଷ ୧୦ମ ସଂସ୍କରଣକୁ ବରଗଡ଼ ଠାରେ ଆୟୋଜନ କରାଯାଉଛି । ଏହା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ଖେଳ ଆଦୃତି ଲାଭ କରିପାରିବ ବୋଲି ୟୁନିଅନର ସଭାପତି ରବିନାରାୟଣ ପଣ୍ଡା କହିଛନ୍ତି । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ମାନଙ୍କୁ ଓଡ଼ିଶା ମୁଏଥାଇ ୟୁନିୟନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ଏଥିରୁ ଚୟନ ହୋଇଥିବା ଅନେକ କ୍ରୀଡାବିତ୍ ଜାତୀୟସ୍ତରରେ ବହୁ ସଫଳତା ପାଇଛନ୍ତି ।

Leave A Reply

Your email address will not be published.