ଗ୍ରୀଷ୍ମକାଳୀନ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ତେଜଙ୍ଗ କ୍ଲଷ୍ଟରର ସରକାରୀ ଉଚ୍ଚ ବିଦ୍ୟାଳୟ, ରକ୍ସା ଠାରେ ଏକ କ୍ଲଷ୍ଟର ସ୍ତରୀୟ ଗ୍ରୀଷ୍ମକାଳୀନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ । ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବ୍ରତ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପଠନ କରିଥିଲେ । ତେଜଙ୍ଗ କ୍ଲଷ୍ଟରର ସିଆର୍‌ସିସି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ । ସେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଦେଖି ପ୍ରଶଂସା କରିଥିଲେ । ଏହିପରି ଶିକ୍ଷଣ ସାମଗ୍ରୀ ବିଦ୍ୟାଳୟ ସ୍ତରରେ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ ସମୟରେ ପ୍ରୟୋଗ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିକ୍ଷଣ ସାମଗ୍ରୀର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ଶ୍ରେଣୀଗୃହରେ କିପରି ବ୍ୟବହାର କରିବେ, ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବ୍ଲକ ଶିକ୍ଷା କାର୍ଯ୍ୟାଳୟର
ଜୟକିଷାନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକମାନେ ଉତ୍ସଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ କହିଥିଲେ । ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ସରଧାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.