ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ ଗୁରୁବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତର ସିର୍ସିପାଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩) ଅଛନ୍ତି । ଏଥିରେ ମୁଖ୍ୟ ଅଭିଯୁକ୍ତ ବି ସାମିଲ ରହିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଅଭିଯୁକ୍ତଙ୍କର ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ବୋଲି ଗୁରୁବାର ଅପରାହ୍ନରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି । ଏହି ମାମଲାରେ ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ମଧ୍ୟସ୍ଥି କରିଥିଲେ । ପ୍ରଶ୍ନପତ୍ର ଦଲାଲ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ଦାମୀ ଗାଡି ସଉକ । ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ନିଜର ସଉକ ପୁରା କରୁଥିଲେ । ଗୋବିନ୍ଦଙ୍କ ଇନୋଭା ଗାଡିକୁ ସିଜ୍ କରିଛି ବାଲେଶ୍ୱର ପୋଲିସ । ବହୁ ଦିନ ଧରି ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ଅଛନ୍ତି ଗୋବିନ୍ଦ । ବେକାର ଯୁବକ ଯୁବତୀଙ୍କଠାରୁ ପୁଳା ପୁଳା ଟଙ୍କା ନେଉଥିଲେ । ବେଲଗୁଣ୍ଠାରେ ପ୍ରାୟ ୧୦ ଜଣଙ୍କୁ ସିବିଟି ଶିକ୍ଷକ ନିଯୁକ୍ତି ଦେଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଓଟିଇଟି ପାଇଁ ଜଣ ପିଛା ୨ଲକ୍ଷ ଟଙ୍କା ନେଉଥିଲେ । ଗୋବିନ୍ଦ ବାବୁ ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ପାସ ପାଇଁ ଜଣ ପିଛା ନେଉଥିଲେ ୩ଲକ୍ଷ ଟଙ୍କା । ବିଭିନ୍ନ ଜାଗାରେ ଗୋବିନ୍ଦଙ୍କ ଦୁଇଟି ଘର ଓ ଏକାଧିକ ପ୍ଲଟ ରହିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତର ସିର୍ସିପାଙ୍ଗା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ଭାବେ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ଉକ୍ତ ବିଦ୍ୟାଳୟରେ ହିଁ ଚାକିରି ଆରମ୍ଭ କରିଥିଲେ ଗୋବିନ୍ଦ । ହେଲେ ଗୋବିନ୍ଦ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ଥିବା ବେଳେ ୧୩ ତାରିଖରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ବିଷୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଓଝା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କୁ ଜଣାଇଛନ୍ତି । ଶ୍ରୀ ମାଝୀ ଏହି ବିଷୟ ସଙ୍ଗେ ସଙ୍ଗେ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କୁ ଜଣାଇଛନ୍ତି । ଏପଟେ ବେଲଗୁଣ୍ଠାରେ ଗୋବିନ୍ଦ ତ୍ରିପାଠୀଙ୍କ ଏକାଧିକ ପ୍ଲଟ ସହ ଘର ଥିବା ଜଣାପଡିଛି । ବେଲଗୁଣ୍ଠାରେ ହିଁ ତାଙ୍କର ବାପା ଓ ଭାଇ ଲୁଗା ଦୋକାନ କରିଛନ୍ତି । ଗୋବିନ୍ଦଙ୍କ ମୁଖ୍ୟ ସହଯୋଗୀ ବେଲଗୁଣ୍ଠା ଇନ୍ଦ୍ରଗଡ ଗାଁର ତ୍ରିନାଥଙ୍କୁ ଖୋଜୁଛି ପୋଲିସ । ଛତ୍ରପୁର ଦାସନପଲ୍ଲୀରେ ଗୋବିନ୍ଦଙ୍କ ଅନ୍ୟ ଜଣେ ସହଯୋଗୀ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.