ପ୍ରସିଦ୍ଧ ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ : ଚଳିତ ବର୍ଷ ମେଳାକୁ ବାରଣ କଲା ପ୍ରଶାସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାକୁ ଆଖି ଆଗରେ ରଖି ଗତକାଲି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ, ବ୍ରାହ୍ମଣ ସମାଜ, ଆଇନଜୀବି, ସ୍ୱେଚ୍ଛସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷକୁ ନେଇ କୁମୁଡ଼ା ପାହାଡ଼ରେ ପାଳିତ ହୋଇ ଆସୁଥିବା ମହା ଶିବରାତ୍ରି ମେଳା ଉପରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲା । ଟିଟିଲାଗଡ ପୌରପରିଷଦ ସଭାଗୃହରେ ଆୟୋଜିତ ହୋଇଥିବା ଏହି ବୈଠକରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ଟ୍ରଷ୍ଟର ଅସ୍ଥାୟୀ କାର୍ୟ୍ୟକାରୀ ସଭାପତି ସୋମେଶ ଉପାଧ୍ୟାୟଙ୍କ ତତ୍ତ୍ଵାବଧାନରେ ହୋଇଥିବା ବୈଠକରେ ମହାମାରୀ କରୋନାକୁ ନେଇ ଶିବରାତ୍ରି ମେଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ କୁମୁଡା ପାହାଡ଼ ପାଦଦେଶର ମହାଶିବରାତ୍ରି ମେଳା ଆୟୋଜନ ନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । କୁମୁଡ଼ା ପାହାଡ଼ରେ ରହିଥିବା ବାବା ଧବଳେଶ୍ଵର ଶିବ ମନ୍ଦିରରେ ମହା ଶିବରାତ୍ରି ଉପରେ ଯଥା ରୀତିନୀତି ଏବଂ ନୀତିକାନ୍ତି ଉପରେ ପୂଜା ପାଠ, ହୋମ ଯଜ୍ଞ ପୂର୍ବ ଭଳି ଜାରି ରହିବ । ଏହି ପୂଜା ବିଧିରେ ହୋମ ଯଜ୍ଞ, ଶିବ ସ୍ମୃତି ଚାରଣ, ତଥା ଚଣ୍ଡୀପାଠ ପରମ୍ପରା ଅନୁଯାୟୀ ଟ୍ରଷ୍ଟର ସଦସ୍ୟ ଏବଂ ପୂଜା କମିଟି ମାଧ୍ୟମରେ ସମ୍ପାଦନ ହେବ । ପୂର୍ବଭଳି ସାତ ଦିନ ଧରି ନାମ ଯଜ୍ଞ ବଦଳରେ ଚଳିତ ବର୍ଷ କେବଳ ଗୋଟିଏ ଦିନ ଅଷ୍ଟ ପ୍ରହରୀ ନାମ ଯଜ୍ଞ କରିବାକୁ ସ୍ଥିର କରାଯାଇଛି । ମହା ଶିବରାତ୍ରୀ ମେଳାକୁ ଆଖି ଆଗରେ ରଖି ମେଳା ପରିସରକୁ ଭକ୍ତ ମାନଙ୍କ ପ୍ରବେଶକୁ ନିଷେଧ କରିବା ପାଇଁ ୧୪୪ ଧାରା ଲାଗୁ କରିବାପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଜାଗର ଯାତ୍ରାରେ ମାନସିକଧାରୀ ତଥା ବ୍ରତଧାରୀମାନଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଭକ୍ତ ମାନେ ନିଜ ନିଜ ଘର ସମ୍ମୁଖରେ ଦୀପ ଜାଳି ଜାଗର ଯାତ୍ରାକୁ ସମାପନ କରିବାପାଇଁ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଜନସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ହେଲେ ଚଳିତ ବର୍ଷ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଏହି ମହାନ୍ ଐତିହାସିକ ପରମ୍ପରା ଉପରେ ଅଙ୍କୁଶ ଲଗାଇଛି । ଆଜି ଏମିତି ଅନେକ ବିଷୟ ଆଲୋଚନା ଏବଂ ପର୍ୟ୍ୟାଲୋଚନରେ ସାମ୍ନାକୁ ଆସିଥିଲା । କରୋନାର ଦ୍ଵିତୀୟ ପର୍ୟ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନର ଆଗୁଆ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ମତବ୍ୟକ୍ତ କରିଥିବା ଜନସାଧାରଣଙ୍କ ମଧ୍ୟରୁ ବରିଷ୍ଠ ଆଇନଜୀବି ରାଧାକାନ୍ତ ପାଢ଼ୀ, ଆଇନଜୀବି ପଙ୍କଜ ପାଢ଼ୀ, ଆଇନଜୀବି ରଞ୍ଜିତ ପୃଷ୍ଟି, ଭାଜପାର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ନଗର କଂଗ୍ରେସର ସଭାପତି ପ୍ରଭାସ ବହିଦାର, ଟ୍ରଷ୍ଟି ଭବାନୀ ଶଙ୍କର ହୋତା, ଟ୍ରଷ୍ଟି ତଥା ଆଇନଜୀବି ସଞ୍ଜୀବ କୁମାର ପାଢ଼ୀ, ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ, ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ବିବେକାନନ୍ଦ ଦିକ୍ଷୀତ, ଅଗ୍ନିଶମ ବିଭାଗର ଅଧିକାରୀ, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ବଗର୍ତ୍ତୀ, ବୃନ୍ଦାବନ ପାଢ଼ୀ, ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ପ୍ରେମଚନ ଜୈନ, ପ୍ରମୋଦ ପ୍ରଧାନ, ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଟିଟିଲାଗଡ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ବିଭାଗର ଅଧିକାରୀ ମନୋଜ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.